ନିର୍ଭୟା ଗଣଦୁଷ୍କର୍ମ ମାମଲା: ଆଜି ପୁନର୍ବିଚାର ଆବେଦନର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ପୁନର୍ବିଚାର ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଅଭିଯୁକ୍ତ ଅକ୍ଷୟ କୁମାର ସିଂଙ୍କ ପକ୍ଷରୁ ହୋଇଥିବା ପୁନର୍ବିଚାରର ଶୁଣାଣି ହେବ ।

ଏହି ଶୁଣାଣି ଗତକାଲି ହେବାକୁ ଥିଲେ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡ଼େ ଏଥିପାଇଁ ଗଠିତ ବେଂଚରୁ ନିଜକୁ ପ୍ରତ୍ୟାହାର କରିବା ପରେ ଏକ ନୂଆ ବେଂଚ ଗଠନ କରାଯାଇଥିଲା ଓ ଶୁଣାଣି ବୁଧବାରକୁ ଘୁଂଚିଥିଲା । ପ୍ରଧାନ ବିଚାରପତିଙ୍କ ପୁତୁରା ପୂର୍ବରୁ ଏହି ମାମଲାରେ ନିର୍ଭୟାର ପକ୍ଷ ରଖିଥିବାରୁ ମାମଲାର ନିରପେକ୍ଷତା ପାଇଁ ପ୍ରଧାନ ବିଚାରପତି ନିଜକୁ ଏହି ବେଂଚରୁ ପ୍ରତ୍ୟାହାର କରିନେଇଥିଲେ । ଏହି ମାମଲାର ଶୁଣାଣି ପାଇଁ ଆଜି ଏକ ତିନିଜଣିଆ ବେଂଚ ଗଠନ କରାଯାଇଛି ।

ଏହି ଶୁଣାଣି ସଂପର୍କରେ ନିର୍ଭୟାଙ୍କ ମା’ କହିଛନ୍ତି ଯେ ଆଜି କୋର୍ଟରେ ଅଭିଯୁକ୍ତର ପୁନର୍ବିଚାର ଆବେଦନ ଖାରଜ ହେବ ବୋଲି ସେ ଆଶା କରୁଛନ୍ତି ।