୪୦ ଦିନରେ ଯବାନ ତିଆରି କଲେ ୨୬୦ ଫୁଟ୍‌ ଝୁଲା ସେତୁ

ଲେହ : ଭାରତୀୟ ସେନା ଯବାନମାନେ ସିନ୍ଧୁ ନଦୀ ଉପରେ ମାତ୍ର ୪୦ ଦିନରେ ୨୬୦ ଫୁଟ ଦୀର୍ଘ ଏକ ଝୁଲା ସେତୁ ନିର୍ମାଣ କରିଛନ୍ତି। ‘ମୈତ୍ରି ସେତୁ’ ନାମକ ଏହି ସେତୂ କେବୁଲ ସାହାଯ୍ୟରେ ନିର୍ମିତ ହୋଇଛି। ଏତେ କମ୍‌ ସମୟ ମଧ୍ୟରେ ଏପରି ସେତୁ ନିର୍ମାଣ ଏକ ରେକର୍ଡ। ସୈନ୍ୟବାହିନୀ ଅଧୀନ ‘ସାହାସ ଔର ଯୋଗ୍ୟତା’ ରେଜିମେଣ୍ଟର ଇଞ୍ଜିନିୟର ଓ ‘ଫାୟାର ଏଣ୍ଡ ଫ୍ୟୁରି କର୍ପସ୍‌’ର ଯବାନମାନେ ଏହି ସେତୁ ନିର୍ମାଣରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ସେତୁରେ ୫୦୦ଟନ୍‌ ସାମଗ୍ରୀ ବ୍ୟବହାର ହୋଇଛି। ଏହି ସେତୁକୁ ୧୯୪୭-୪୮, ୧୯୬୨, ୧୯୭୧ ଓ ୧୯୯୯ ଯୁଦ୍ଧରେ ସାମିଲ ଲାଦାଖର ଅବସରପ୍ରାପ୍ତ ସେନା କର୍ମଚାରୀ ନାଇକ ଫୁନ୍‌ଚୋକ୍‌ ଅଙ୍ଗଦୁସ୍‌ ଓ ନାଇକ ସେଜୱାନ୍‌ ସ୍ତୋବଦାନ୍‌ ଉଦ୍‌ଘାଟନ କରିଥିଲେ। ଏହି ସେତୁ ଦ୍ବାରା ଲେହ ଓ ଲଦାଖ ମଧ୍ୟରେ ଗମନାଗମନ ସୁଗମ ହେବ। ଏହା ଚୋଗ୍‌ଲମସର, ଷ୍ଟକ୍‌ ଓ ଚୁଚୋଟ ଭଳି କିଛି ବୃହତ୍‌ ଗ୍ରାମକୁ ସଂଯୋଗ କରିବ। ଯବାନଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।