ଆଜିଠାରୁ କର୍ତ୍ତାରପୁର କରିଡର ପାଇଁ ଅନଲାଇନ ପଞ୍ଜୀକରଣ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କର୍ତ୍ତାରପୁର କରିଡର ପାଇଁ ପଞ୍ଜୀକରଣ ପ୍ରକ୍ରିୟା | ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ପାସପୋର୍ଟ ବାଧ୍ୟତାମୂଳକ ଥିବାବେଳେ ଭିସା ଆବଶ୍ୟକ ନୁହେଁ ବୋଲି ଜଣାପଡିଛି | ଅନଲାଇନ ରେଜିଷ୍ଟ୍ରେସନ ମାଧ୍ୟମରେ ଜଣେ ଚାହିଁଲେ କର୍ତ୍ତାରପୁର ଗସ୍ତ କରିପାରିବେ | କର୍ତ୍ତାରପୁର ଯାତ୍ରା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଫର୍ମ ମଧ୍ୟ ଜାରି କରିଛନ୍ତି | ଏଠାରେ ସୂଚନା ଥାଉ କି କର୍ତ୍ତାରପୁର ସାହିବ ଗୁରୁଦ୍ୱାର ପାକିସ୍ତାନର ପଞ୍ଜାବ ପ୍ରାନ୍ତର ନରୋବାଲ ଜିଲ୍ଲାରେ ରହିଛି |

ଏଠାରେ ଗୁରୁ ନାନକ ଦେବ ନିଜ ଜୀବନର ୧୮ ବର୍ଷ ସହ ଅନ୍ତିମ ସମୟ ମଧ୍ୟ କାଟିଥିଲେ | ପାକିସ୍ତାନରେ ଗୁରୁନାନକଙ୍କ ସାଧନାପୀଠ କର୍ତ୍ତାରପୁର ସାହିବରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ପାକିସ୍ତାନ ଲାଗୁ କରିବାକୁ ଯାଉଥିବା ପ୍ରବେଶ ଶୁଳ୍କ ଯୋଗୁଁ ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି । କର୍ତ୍ତାରପୁର ସାହିବ ଗୁରୁଦ୍ୱାରାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ୧୪୦୦ଟଙ୍କା ଓ ୧୦୦ଗ୍ରାମ୍‌ ପ୍ରସାଦ ପାଇଁ ୧୫୧ ଟଙ୍କା ଦେବାକୁ ହେବ ।

ଭାରତ ସରକାରଙ୍କ ପକ୍ଷରୁ ଏତେ ଅଧିକ ଶୁଳ୍କ ଲାଗୁ ନ କରିବା ନେଇ ଅନେକ ଥର ଅନୁରୋଧ କରାଯାଇ ସାରିଥିବା ବେଳେ ପାକିସ୍ତାନ ଏହାକୁ ଅଣଦେଖା କରି ଆସିଛି । କର୍ତ୍ତାରପୁର କରିଡର ଚୁକ୍ତି ଅନୁଯାୟୀ, ପ୍ରତିଦିନ ୫,୦୦୦ଶ୍ରଦ୍ଧାଳୁ ପାକିସ୍ତାନରେ ପ୍ରବେଶ କରି କର୍ତ୍ତାରପୁର ସାହେବଙ୍କୁ ଦର୍ଶନ କରି ପାରିବେ । ଯଦି ଜଣଙ୍କ ପିଛା ୧୪୦୦ଟଙ୍କା ନିଆଯାଉଛି, ତେବେ ଗୋଟେ ଦିନରେ ପାକିସ୍ତାନ ୭୧ଲକ୍ଷ ଟଙ୍କା ଆଦାୟ କରିବ ଏବଂ ପ୍ରତି ମାସରେ ୨୧କୋଟି ଟଙ୍କା ଆଦାୟ କରିବ ।