ଅନ୍‌ଲାଇନ୍ ପାଠପଢ଼ା ନେଇ ଗଢ଼ାଯାଇଛି ୪ଟି କମିଟି

ଭୁବନେଶ୍ୱର: ଅନ୍‌ଲାଇନ୍ ପାଠପଢ଼ା ନେଇ ଅଣ୍ଟା ଭିଡ଼ିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ଅନ୍‌ଲାଇନ୍ ପାଠପଢ଼ା ସହିତ ଡିଜିଟାଲ୍ ପାଠ୍ୟସାମଗ୍ରୀ ପ୍ରସ୍ତୁତ କରିବାକୁ ୪ଟି କମିଟି ଗଢ଼ାଯାଇଛି । ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍ ପାଠପଢ଼ା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା କମିଟି ଗଢ଼ାଯାଇଛି । କୋଭିଡ୍‌-୧୯ ମହାମାରୀ ବ୍ୟାପିବା ଭୟରେ ଦୀର୍ଘ ଦିନ ହେବ ସ୍କୁଲ ବନ୍ଦ ରହିଛି । ଆଗକୁ ଆହୁରି କେତେ ଦିନ ବନ୍ଦ ରହିବ ଠିକ୍ ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପପି ନେଇଛି ଗଣଶିକ୍ଷା ବିଭାଗ ।

ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍ ପାଠପଢ଼ା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା କମିଟି ଗଢ଼ାଯାଇଛି । କମିଟିରେ ଉଚ୍ଚ ମାଧ୍ୟମିକ ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ଡ. ବିଜୟ କୁମାର ପାତ୍ର ଅଧ୍ୟକ୍ଷ ଥିବାବେଳେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ପ୍ରକାଶ କୁମାର ଯୋଶୀ, ଉପନିର୍ଦ୍ଦେଶକ ଡ. ତିଳୋତ୍ତମା ସେନାପତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୁନିଲ କୁମାର ଜେନା, ପିଏମ୍‌ୟୁର ଭାରପ୍ରାପ୍ତ ଅଧିକାରୀ ଭାଗିରଥୀ କାଣ୍ଡି, ସାଥ୍‌-ଇର ଶ୍ରୀମାନ, ଅଭିମନ୍ୟୁ ବୈଶିଷ୍ଠ ଓ ଓସେପାର କାର‌୍ୟ୍ୟକ୍ରମ ଅଧକାରୀ ରଘୁରାଜ ରାଜଗୁରୁ ସଦସ୍ୟ ଅଛନ୍ତି ।

ସେହିପରି ନବମ ଓ ଦଶମ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା କମିଟି ଗଠିତ ହୋଇଛି । ଏଥିରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ପ୍ରଦୀପ କୁମାର ନାୟକ ଅଧ୍ୟକ୍ଷ ଥିବାବେଳେ ଅନ୍ୟ ୭ଜଣଙ୍କୁ କମିଟିର ସଦସ୍ୟ ନିଯୁକ୍ତ କରାଯାଇଛି । ସେହିପରି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷା କମିଟିରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । କମିଟିରେ ୮ଜଣ ସଦସ୍ୟ ରହିଛନ୍ତି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ରଘୁରାମ ଆୟାରଙ୍କୁ ମନିଟରିଂ କମିଟିର ଅଧ୍ୟକ୍ଷ କରାଯାଇଥିବା ବେଳେ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା, ସହ ନିର୍ଦ୍ଦେଶକ ପ୍ରଭାତ କୁମାର ମିଶ୍ର, ସାଥ୍‌-ଇର କ୍ରିଷ୍ଣା ନାରାୟଣ, ଆଶିଷ ଶର୍ମା ଓ ଦିବ୍ୟରଞ୍ଜନ ମିଶ୍ର ସଦସ୍ୟ ଅଛନ୍ତି ।

ଉପରୋକ୍ତ କମିଟିଗୁଡ଼ିକ ବିଭିନ୍ନ ବିଷୟରେ ଅନ୍‌ଲାଇନ ପାଠପଢ଼ା ସାମଗ୍ରୀ ଉପଲବ୍ଧ ବାବଦରେ ଚିହ୍ନଟ କରିବେ । ଅନଲାଇନ୍ ପାଠ୍ୟକ୍ରମ ପ୍ରସ୍ତୁତ ପାଇଁ ଉପଯୁକ୍ତ ବିଶେଷଜ୍ଞ ନିଯୁକ୍ତ କରାଯିବ । ଯାହା ଡିଜିଟାଲ୍ ପାଠ୍ୟ ସାମଗ୍ରୀ ପ୍ରସ୍ତୁତ ହେବ, ସେଗୁଡ଼ିକ ମଧୁ ଆପ୍‌/ଦୀକ୍ଷା ଆପ୍‌ରେ ଅପଲୋଡ୍ ହେବା ସହ ଦୂରଦର୍ଶନ ଓ ସ୍ୱୟଂପ୍ରଭାରେ ପ୍ରସାରଣ କରାଯିବ । ଓଡ଼ିଶା ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମର ସଫଳ ପାଇଁ ପ୍ରାଥମିକ ଓ ମାଧ୍ୟମିକ କମିଟି କାର୍ଯ୍ୟ କରିବ । ଏହି ଟିମଗୁଡିକ ଜୁମ୍ କିମ୍ବା ମାଇକ୍ରୋସଫ୍ଟ୍‌ରେ ପରସ୍ପରକୁ ଭେଟିବେ । ୧୦ ଦିନ ମଧ୍ୟରେ ଅନ୍‌ଲାଇନ୍ ପାଠ୍ୟସାମଗ୍ରୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କମିଟି ଦ୍ୱାରା ପ୍ରସ୍ତୁତ ହୋଇଥିବା ଯୋଜନାକୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏସ୍‌ସିଇଆରଟି ବାସ୍ତବିକ ରୂପ ଦେବ ।

ସେହିପରି ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ସିଏଚ୍‌ଏସ୍‌ଇ କାର୍ଯ୍ୟକାରୀ କରିବ । ପ୍ରସ୍ତୁତ ହୋଇଥିବା ଅନ୍‌ଲାଇନ୍ ପାଠ୍ୟ ସାମଗ୍ରୀ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡାଙ୍କୁ ମଧୁ ଆପ୍‌ରେ ଅପଲୋଡ୍ କରିବାକୁ ଦିଆଯିବ । ସେହିପରି ଓସେପାର ଯୁଗ୍ମ ନିର୍ଦ୍ଦେଶକ ପ୍ରକାଶ କୁମାର ଯୋଶୀଙ୍କୁ ଦୀକ୍ଷା ପୋର୍ଟାଲ୍‌ରେ ଅପଲୋଡ୍ କରିବେ । ଅନଲାଇନ୍ ପାଠ୍ୟ ସାମଗ୍ରୀ ପ୍ରସ୍ତୁତି ବାବଦରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମୀକ୍ଷା କରିବେ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା) ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତ ବଢ଼ି ବଢ଼ି ଚାଲିଛି । ସେପଟେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅନେକ ଅସୁବିଧା ହେଉଛି । ଯାହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀ ଘରେ ରହି ଭଲରେ ପାଠପଢ଼ିପାରିବେ ।