ନୂଆଦିଲ୍ଲୀ: ଦେଶରେ ଏବେ ଆସ୍ତେ ଆସ୍ତେ ପିଆଜ ଦର କମିବାରେ ଲାଗିଛି । ହେଲେ ଏବେବି ଦର ଅଧିକା ରହିଛି । ତେବେ ଚଳିତ ମାସରୁ ବଜାରକୁ ପିଆଜର ନୂଆ ଅମଳ ହେବା ପରେ ଦର ଆହୁରି କମ୍ ହେବ ବୋଲି ଆଶା କରାଯାଉଛି ।
ଭାରତରେ ପିଆଜର ନୂଆ ଫସଲ ଜାନୁଆରି ମାସରୁ ମେ ମାସ ମଧ୍ୟରେ ଆସିଥାଏ । ଚଳିତ ମାସରୁ ନୂଆ ଫସଲ ଆସିଲେ ଦର ହ୍ରାସ ପାଇବ ବୋଲି କେନ୍ଦ୍ର ଖାଦ୍ୟମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି । ତେବେ ମହାରାଷ୍ଟ୍ରରେ ଗତ ବର୍ଷ ହୋଇଥିବା ପ୍ରବଳ ବର୍ଷା କାରଣରୁ ପିଆଜ ଫସଲ ନଷ୍ଟ ହୋଇଥିଲା । ଏହି କାରଣରୁ ଏବର୍ଷ ପିଆଜ ଉତ୍ପାଦନ ୨୫ ପ୍ରତିଶତ କମ ରହିବା ଅଟକଳ କରାଯାଉଛି ।
ଦେଶରେ ପିଆଜର ଦର ଆକାଶଛୁଆଁ ହେବା ପରେ ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇଥିଲେ । କେନ୍ଦ୍ର ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ସେପ୍ଟେମ୍ବର ୧୩ ତାରିଖରେ ପିଆଜର ସର୍ବନିମ୍ନ ରପ୍ତାନି ମୂଲ୍ୟକୁ ଟନ ପିଛା ୮୫୦ ଡଲାର ଧାର୍ଯ୍ୟ କରିଥିଲେ । ଏହା ଫଳରେ ରପ୍ତାନି ହ୍ରାସ ପାଇଥିଲା ।
୨୦୧୮-୧୯ ଆର୍ଥିକ ବର୍ଷରେ ଭାରତ ମୋଟ ୪୯୬.୮୨ ନିୟୁତ ଡଲାର ମୂଲ୍ୟର ପିଆଜ ବିଦେଶକୁ ରପ୍ତାନି କରିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ହ୍ରାସ ପାଇବା ଆଶଙ୍କା ରହିଛି । ଭାରତ ସାଧାରଣତଃ ବାଂଲାଦେଶ, ଶ୍ରୀଲଙ୍କା ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ସବୁଠୁ ଅଧିକ ପିଆଜ ରପ୍ତାନି କରିଥାଏ।