ଆଫାଗାନିସ୍ତାନରୁ ଆସିଲା ପିଆଜ, କମିଲା ଉତର-ପଶ୍ଚିମ ଭାରତରେ ଦର

ନୂଆଦିଲ୍ଲୀ: ଦେଶରେ ପିଆଜ ଦରକୁ ନେଇ ଖାଉଟିଙ୍କ ମନରେ ଥିବା ଚିନ୍ତା ବଢ଼ିଛି । ଅନ୍ୟପଟେ ଆଜି ଆଫାଗାନିସ୍ତାନରୁ ପିଆଜ ଭାରତକୁ ଆସିଛି । ଫଳରେ ଉତର-ପଶ୍ଚିମ ଭାଗରେ ପିଆଜ ଦର ହ୍ରାସ ପାଇଛି ।

ଆଫଗାନିସ୍ତାନରୁ ପ୍ରାୟ ୫୦ ଟ୍ରକ ପିଆଜ ପଞ୍ଜାବର ଅଟାରୀ ସୀମା ଦେଇ ଭାରତରେ ପହଞ୍ଚିଛି । ଗତ ସୋମବାରଦିନ ମଧ୍ୟ ୫୫ ଟ୍ରକ ପିଆଜ ଆଫଗାନିସ୍ତାନରୁ ଆସିଥିଲା । ଆଫଗାନିସ୍ତାନର ବ୍ୟବସାୟୀମାନେ ନିଜ ଦେଶର ଚାଷୀ ଏବଂ ଇରାନ, ଉଜବେକିସ୍ତାନରୁ ପିଆଜ ମଗାଇ ଭାରତକୁ ରପ୍ତାନି କରୁଛନ୍ତି ।

ଏସବୁ ପିଆଜ ପହଞ୍ଚିବା ପରେ ରାଜସ୍ତାନ, ପଞ୍ଜାବ,ହିମାଚଳପ୍ରଦେଶ, ଦିଲ୍ଲୀ,ଉତ୍ତରପ୍ରଦେଶ ଓ ହରିୟାଣାରେ ପିଆଜର ହୋଲସେଲ ଦର ହ୍ରାସ ପାଇଛି । ଦେଶରେ ପିଆଜର ଉପଲବ୍ଧତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ପ୍ରାୟ ୨୧ ହଜାର ଟନ ପିଆଜ ଆମଦାନୀ କରିବାକୁ ଅର୍ଡର ଦେଇଛନ୍ତି । ଇଜିପ୍ଟ ଓ ତୁର୍କୀରୁ ଏହି ପିଆଜ ଆମଦାନୀ କରାଯିବ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହା ଭାରତରେ ପହଞ୍ଚିବା ଆରମ୍ଭ କରିବ । ଏହାଫଳରେ ଡିସେମ୍ବର ୩ୟ ସପ୍ତାହଠାରୁ ଦେଶରେ ପିଆଜ ଦର ଉଲ୍ଲେଖନୀୟଭାବେ କମିବା ଆଶା କରାଯାଉଛି ।