ଶିଶୁଭବନରୁ ଆଉ ଜଣେ ଶିଶୁଙ୍କ ଠାରେ କରୋନା ଚିହ୍ନଟ

କଟକ : ଆଜି କଟକସ୍ଥିତ ଶିଶୁଭବନରୁ ଆଉ ଜଣେ ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ଶିଶୁ ଜଗତସିଂହପୁର ଜିଲ୍ଲାର ବୋଲି ଶିଶୁଭବନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିଶୁର ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପାଇଁ ପଠା ଯାଇଥିଲା। ଏହି ରିପୋର୍ଟ ପଜିଟିଭ୍‌ ଆସିବା ପରେ ଶିଶୁକୁ କୋଭିଡ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହା ଶିଶୁଭବନରେ ଦ୍ୱିତୀୟ କରୋନା ଆକ୍ରାନ୍ତ ବୋଲି କୁହାଯାଉଛି।

ଏହାପୂର୍ବରୁ ଆଉଟ୍‌ଡୋରକୁ ଆସିଥିବା ସାଲେପୁର ବ୍ଲକ୍‌ ଅନ୍ତର୍ଗତ ମୁତାରିଫା ପଞ୍ଚାୟତର ଜଣେ ଶିଶୁର ସ୍ୱାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଏଥିରୁ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ଶିଶୁଭବନର ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ କହିଥିଲେ।

ଶିଶୁଭବନକୁ ଆସୁଥିବା ଶିଶୁଙ୍କ ଜ୍ୱର, କାଶ, କଫ, ଥଣ୍ଡା କିମ୍ବା ଟ୍ରାଭେଲ୍‌ ହିଷ୍ଟ୍ରି ଥିଲେ ସେମାନଙ୍କୁ ସାଧାରଣ ୱାର୍ଡରେ ଅନ୍ୟ ଶିଶୁଙ୍କ ସହିତ ଆଦୌ ଚିକିତ୍ସା କରା ନ ଯିବା ନିଷ୍ପତ୍ତି କଡ଼ାକଡ଼ି ହୋଇଥିଲା। କିନ୍ତୁ ଏ ପ୍ରକାର ନିଷ୍ପତ୍ତି ଏଡ଼ାଇ ଶିଶୁଭବନ ଭୁଲ କରିଥିବା କଥା ନିକଟରେ ସାମ୍ନାକୁ ଆସିଥିଲା।

ବିନା କୋଭିଡ ପରୀକ୍ଷା କିମ୍ବା ଟ୍ରାଭେଲ୍‌ ହିଷ୍ଟ୍ରି ଯାଞ୍ଚରେ ବଡ଼ ମେଡିକାଲର ଏକ ନବଜାତ ଶିଶୁକୁ ଶିଶୁଭବନ କର୍ତ୍ତୃପକ୍ଷ ସିଧାସଳଖ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଥିଲେ। ଭର୍ତ୍ତି କରିବା ପରେ ଶିଶୁଟିର ମା’ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ତରବରିଆ ଭାବେ ନିଜ ଦୋଷ ଘୋଡ଼ାଇବା ପାଇଁ ଶିଶୁଟିକୁ ୱାର୍ଡରୁ ଡିସ୍‌ଚାର୍ଜ କରି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।