ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଜଣେ ଗିରଫ

କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟିକୁ ବଡ଼ ସଫଳତା

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ (ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ) ଏସଆଇଟି ସ୍ପଷ୍ଟ କରିଛି । ତେବେ ଏସଆଇଟି ଅଭିଯୁକ୍ତର ନାଁ ପ୍ରକାଶ କରିନାହିଁ । ଆସନ୍ତାକାଲି ପକସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯିବ । ଅଭିଯୁକ୍ତ ନାଁରେ ସଙ୍ଗୀନ ଦଫା ଲାଗିଛି । IPCର ଧାରା ୩୭୬-ଏ/୩୭୬-ଏବି/୩୬୪/୩୦୨/୨୦୧ ଦଫା ଲାଗିଛି ଅଭିଯୁକ୍ତ ବିରୋଧରେ ।

ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାର ତଦନ୍ତ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ଜଣିଆ ଏସଆଇଟି ଟିମ୍‌ କରୁଛନ୍ତି । ଗତ ଜୁଲାଇ ୨୩ରେ ନୟାଗଡ଼ ଜିଲ୍ଲା ଯଦୁପୁରର ପରୀକୁ ରହସ୍ୟଜନକ ଭାବେ ହତ୍ୟା କରାଯାଇଥିଲା । ପରୀକୁ ପରେ ଘର ବାରିପଟେ ଅସ୍ତି କଙ୍କାଳକୁ ଫିଙ୍ଗି ଦିଆଯାଇଥିଲା । ରାଜ୍ୟ ସରକାର ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ପହିଲାରୁ ଏସଆଇଟି ଆରମ୍ଭ କରିଥିଲା ତଦନ୍ତ । ପରୀ ହତ୍ୟାକାଣ୍ଡ ମାମଲାରେ ସନ୍ଦିଗ୍ଧ କଲେଜ ଛାତ୍ର ସରୋଜ ସେଠୀଙ୍କୁ ଏସ୍‌ଆଇ ଟି ଉଠାଇ ନେଇ ପଚରାଉଚରା କରିଥିଲା। ସରୋଜଙ୍କ ମା’, ବଡ଼ ଭଉଣୀଙ୍କୁ ମଧ୍ୟ ଏସ୍‌ଆଇଟି ଉଠାଇନେଇଥିଲା। ସରୋଜ ପରୀ ଘରର ପଡ଼ୋଶୀ ହୋଇଥିବା ବେଳେ, ତାଙ୍କ ବାଡ଼ି ପଛ ପଟୁ ପରୀର ଶବ ଉଦ୍ଧାର ହୋଇଥିଲା।

ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା। ଝିଅକୁ ନପାଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା। ଏଭଳି ସ୍ଥିତିରେ ସେହିମାସ ୨୩ରେ ପରୀ ଶବ ଉଦ୍ଧାର ହୋଇଥିଲା।

one arrested by crime branch sit  in connection with nayagada pari murder case