ରାଜସ୍ଥାନ ରାଜନୀତି: ଅଗଷ୍ଟ ୧୪ରେ ଆସ୍ଥା ପ୍ରସ୍ତାବ ଆଣିପାରେ କଂଗ୍ରେସ

ଜୟପୁର: ରାଜସ୍ଥାନ ରାଜନୀତି ରଣ ମଧ୍ୟରେ ଆସନ୍ତାକାଲି(ଶୁକ୍ରବାର) ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏହି ଦିନ ହିଁ ଗୃହରେ ଆସ୍ଥା ପ୍ରସ୍ତାବ ଆଣିପାରେ କଂଗ୍ରେସ । କାରଣ ବିଧାୟକଙ୍କୁ ଏତେ ଦିନ ହେବ ହୋଟେଲରେ ରଖିବା ପରେ ଏହି ନାଟକର ସମାପ୍ତ କରିବାକୁ ଚାହୁଁଛି ଦଳ ।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସହିତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଆଲୋଚନା ପରେ ସେ ଜୟପୁର ଫେରିଛନ୍ତି । ତାଙ୍କ ସହିତ ଥିବା ସମସ୍ତ କଂଗ୍ରେସ ବିଧାୟକ ମଧ୍ୟ ଦଳକୁ ଫେରିଛନ୍ତି । ହେଲେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଉ ରିସ୍କ ନେବାକୁ ଚାହୁଁନାହାଁନ୍ତି । ଫଳରେ ଏହି ମୌକାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବିଧାନସଭା ଅଧିବେଶନର ପ୍ରଥମ ଦିନରେ ହିଁ କେହି ଅନାସ୍ଥା ପ୍ରସ୍ତାବ ଆଣନ୍ତୁ କିମ୍ବା ନଆଣନ୍ତୁ ମୁଖ୍ୟମନ୍ତ୍ରୀ ଗୃହରେ ଆସ୍ଥା ପ୍ରସ୍ତାବ ଆଣିବେ ବୋଲି କୁହାଯାଉଛି । ଯେଉଁଥିଲାଗି ଜୟପୁରରେ ପୁଣିଥରେ ସମସ୍ତ ବିଧାୟକଙ୍କୁ ହୋଟେଲରେ ରଖାଯାଉଥିବା ଦେଖିବାକୁ ମିଳିଛି ।

ତେବେ ଆସ୍ଥା ଭୋଟରେ ଯଦି ଗେହଲଟଙ୍କ ସରକାର ଜିତିଲେ ତେବେ ଅଗଷ୍ଟ ୧୫ ତାରିଖରେ ସମସ୍ତ ବିଧାୟକଙ୍କୁ ଛଡାଦିଆଯିବ ବୋଲି ମଧ୍ୟ କୁହାଯାଉଛି । କାରଣ ଥରେ ଆସ୍ଥା ଭୋଟରେ ସରକାର ଜିତିଗଲେ ଆଗାମୀ ୬ ମାସ ପର୍ଯ୍ୟନ୍ତ ଆଉ ଫ୍ଲୋର ଟେଷ୍ଟ ଦରକାର ପଡେନାହିଁ । ଯେଉଁଥିଲାଗି ଗେହଲଟ ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

ଆସ୍ଥା ଭୋଟ ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ବିଧାନସଭାରେ ଆସ୍ଥା ଭାଜନ ନୋଟିସ ପାଇଁ ମୋଟ ବିଧାୟକଙ୍କ ୨୦ ପ୍ରତିଶତ ବିଧାୟକ ହସ୍ତାକ୍ଷର କରିବାକୁ ଦରକାର ଥିବାବେଳେ କଂଗ୍ରେସ ଏହା ସାରିଦେଇଛି ।

ସୂଚନାଥାଉକି, ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ବୁଝାମଣା ପାଇଁ କଂଗ୍ରେସ ୩ ଜଣିଆ କମିଟି ଗଠନ କରିଛି । ଏହି କମିଟି ଦୁଇ ପକ୍ଷ ସହିତ ଆଲୋଚନା କରି ଏହାର ସମାଧାନ ବାହାର କରିବ ବୋଲି କୁହାଯାଉଛି ।