ବଢ଼ିଲା ଓଜେଇଇ ପଞ୍ଜୀକରଣ ଅବଧି

ଭୁବନେଶ୍ୱର : କରୋନା ମୁକାବିଲା ନେଇ ଲକ୍‌ଡାଉନ୍ ଚାଲିଥିବାରୁ ବି.ଟେକ୍ ନାମଲେଖା ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ନିମନ୍ତେ ସ୍ବତନ୍ତ୍ର ଓଜେଇଇ ପଞ୍ଜୀକରଣ ଅବଧିକୁ ୧୫ଦିନ ବୃଦ୍ଧି କରାଯାଇଛି । ସେହିଭଳି ଅନ୍ୟ ବୈଷୟିକ ପାଠ୍ୟକ୍ରମ ନାମଲେଖା ନିମନ୍ତେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପାଇଁ ଚାଲିଛି ଅନ୍‌ଲାଇନ୍ ପଞ୍ଜୀକରଣ। ଏହାର ସମୟ ସୀମାକୁ ମଧ୍ୟ ୭ଦିନ ବଢାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ଶନିବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ନୋଟିସ୍ ପ୍ରକାଶ ପାଇଛି। ସ୍ବତନ୍ତ୍ର ଓଜେଇଇ ପାଇଁ ପଞ୍ଜୀକରଣ ଶେଷ ତାରିଖ ଜୁନ୍ ୧୫ ରହିଛି। ଛାତ୍ରଛାତ୍ରୀ ଜୁନ୍ ୨୦ ସୁଦ୍ଧା ଫି ଦାଖଲ କରିବେ। ପୂର୍ବରୁ ମେ ୩୧ ଯାଏଁ ପଞ୍ଜୀକରଣ କରିବାର ସମୟ ଦିଆଯାଇ ଥିବା ଛାତ୍ରଛାତ୍ରୀଙ୍କୁ। ସେହିପରି ଏମ୍‌ବିଏ, ଏମ୍‌ସିଏ, ଡିପ୍ଲୋମା, ବି.ଫାର୍ମା, ଏମ୍‌.ଫାର୍ମା, ବି.ଆର୍କ, ଏମ୍‌.ଆର୍କ ଏବଂ ଲାଟେରାଲ ଏଣ୍ଟ୍ରି ଏମ୍‌ବିଏ ଏବଂ ଏମ୍‌ସିଏ ଆଦି ପାଠ୍ୟକ୍ରମରେ ନାମଲେଖାଇବା ନିମନ୍ତେ ଅନ୍‌ଲାଇନ୍ ପଞ୍ଜୀକରଣ ଅବଧି ମେ ୩୧ ପର‌୍ୟ୍ୟନ୍ତ ଥିଲା। ତେବେ ଲକ୍‌ଡାଉନ୍ ବଢିବା ସମ୍ଭାବନାକୁ ନେଇ ପଞ୍ଜୀକରଣ ଅବଧି ଜୁନ୍ ୭ ଯାଏଁ ବୃଦ୍ଧି କରାଯାଇଛି। ଶେଷ ମୁହୂର୍ତ୍ତରେ ପଞ୍ଜୀକରଣ କରୁଥିବା ଛାତ୍ରଛାତ୍ରୀ ଜୁନ୍ ୧୦ ସୁଦ୍ଧା ଫି ଦାଖଲ କରିପାରିବେ।