ଓ.ଏଚ୍. ପି.ସି ପକ୍ଷରୁ ଓଡ଼ିଶା ସରକାରଙ୍କୁ ତିରିଶ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶାର  ଅଗ୍ରଣୀ ସାଧାରଣ ଉଦ୍ୟୋଗ  ଓଡ଼ିଶା ଜଳ ବିଦ୍ୟୁତ  ନିଗମ (ଓ.ଏଚ୍. ପି.ସି) ଲିମିଟେଡ  ୨୦୧୯-୨୦ ଆର୍ଥିକ ବର୍ଷ  ପାଇଁ ୩୦ କୋଟି ଟଙ୍କାର  ଅନ୍ତରୀଣ ଲାଭାଂଶ ଓଡ଼ିଶା ସରକାରଙ୍କୁ  ପ୍ରଦାନ କରିଛନ୍ତି । ଆଜି ରାଜ୍ୟ ଲୋକସେବା ଭବନଠାରେ  ଏ ବାବଦକୁ ଏକ ଚେକ୍  ମୁଖ୍ୟ ଶାସନ ସଚିବ  ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କୁ ଓ.ଏଚ୍.ପି.ସି. ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବି​ଷ୍ଣୁପଦ ସେଠୀ  ପ୍ରଦାନ କରିଅଛନ୍ତି ।

ଚେକ୍ ଗ୍ରହଣ କରି  ଶକ୍ତି କ୍ଷେତ୍ରରେ ଓ.ଏଚ୍. ପି.ସି ର   ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ  ବୋଲି  ମୁଖ୍ୟ ଶାସନ ସଚିବ  ଶ୍ରୀ ତ୍ରୀପାଠୀ କହିଥିଲେ । ଆଧୂନିକ ବୈଷୟିକ କୌଶଳ ପ୍ରୟୋଗ କରି ବିଦ୍ୟୁତ ଉତ୍ପାଦନ କ୍ଷମତା ବୃଦ୍ଧି  ଓ ଅଧିକ ବ୍ୟବସାୟିକ ସଂସ୍କାରହାସଲ କରିବାକୁ  ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ନିଗମର ଅଧ୍ୟକ୍ଷ ଶ୍ରୀ ସେଠୀ କହିଥିଲେ ଯେ ଓ.ଏଚ୍. ପି.ସି ର   ନିର୍ଦ୍ଦେଶକ ମଣ୍ଡଳୀ ବୋର୍ଡ ୧୬.୦୭.୨୦୨୦ ରିଖ ଦିନ ୨୦୧୯-୨୦ ବର୍ଷ ପାଇଁ ୩୦ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ  ରାଜ୍ୟ ସରକାରଙ୍କୁ  ପ୍ରଦାନ କରିବାକୁ  ନିଷ୍ପତ୍ତି ଗ୍ରହଣ  କରିଥିଲେ ।  ଅବଶିଷ୍ଟ ରାଶି ହିସାବ ଚୂଡାନ୍ତ ହେବା ପରେ  ପ୍ରଦାନ କରାଯିବ । ଗତ ବର୍ଷ ଓ.ଏଚ୍. ପି.ସି  ୩୧,୫୭,୮୮,୭୨୯ ଟଙ୍କାର ଲାଭାଂଶ  ରାଜ୍ୟ ସରକାରଙ୍କୁ  ପ୍ରଦାନ କରିଥିଲା ।

ନିଗମର ଅର୍ଥ ନିର୍ଦ୍ଦେଶକ  ଶ୍ରୀ ପ୍ରଭାକର ମହାନ୍ତି ଜଣାଇଥିଲେ ଯେ ୨୦୧୯-୨୦ ଆର୍ଥିକ  ବର୍ଷରେ ଓ.ଏଚ୍. ପି.ସି ର  ନିଟ୍ ଲାଭରେ ୨୭.୩୫% ବୃଦ୍ଧି ଘଟିଛି । ୨୦୧୮-୧୯ ବର୍ଷରେ ଏହି ଲାଭ  ୧୦୫.୨୬ କୋଟି ଟଙ୍କା ଥିଲା ବେଳେ  ୨୦୧୯-୨୦ ରେ ଏହା ୧୩୪.୦୫ କୋଟି ଟଙ୍କାକୁ  ବୃଦ୍ଧି ପାଇଛି । ଏହି ନିଗମ କ୍ରମାଗତଭାବେ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରିଆସୁଛି ।

ଶ୍ରୀ ସେଠୀ ଆହୁରି ମଧ୍ୟ କହିଥିଲେ ଯେ କୋଭିଡ୍ ଲଢ଼େଇରେ ରାଜ୍ୟର ଏକ ଦାୟିତ୍ୱସମ୍ପନ୍ନ ନିଗମ ଭାବେ ଓ.ଏଚ୍. ପି.ସି ଗଜପତି ଓ ବାଲେଶ୍ୱର  ଜିଲ୍ଲାରେ ଯଥାକ୍ରମେ ୧୧୨ ଏବଂ ୧୨୦ ଶଯ୍ୟା ବିଶି​‌ଷ୍ଟ ୨ ଟି କୋଭିଡ୍ ହସ୍ପିଟାଲ ପରିଚାଳନା  କରୁଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ  ଏହି ହସ୍ପିଟାଲରେ  କୋଭିଡ୍ ଆକ୍ରାନ୍ତ  ରୋଗୀମାନଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ଦିଆଯାଉଛି । ଏ ବାବଦ ଅର୍ଥ ନିଗମ ନିଜର ସି.ଏସ୍.ଆର୍. ପାଣ୍ଠିରୁ  ଦେଉଛନ୍ତି ।