ଆଜି ବି ସାଇକେଲରେ କାର୍ଯ୍ୟାଳୟକୁ ଆସିଲେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଭୁବନେଶ୍ୱରର ୩ଟି ସରକାରୀ ଅନୁଷ୍ଠାନ ଶୁକ୍ରବାର ସାଇକେଲ କିମ୍ବା ଚାଲି ଚାଲି ଆସିବା ପାଇଁ କରିଥିବା ନିୟମକୁ ମଧ୍ୟ ଆଜି କାର୍ଯ୍ୟକାରୀ କରିଛନ୍ତି । ସପ୍ତାହର ଶୁକ୍ରବାର ଦିନ ସାଇକେଲରେ ଆସିବାକୁ ବିଏମସିର ନିଷ୍ପତି ଅନୁଯାୟୀ ଆଜି ବିଡିଏ,ବିଏମସି ଓ ବିଏସସିଏଲର କର୍ମଚାରୀମାନେ ସାଇକେଲରେ କାର୍ଯ୍ୟାଳୟକୁ ଆସିଛନ୍ତି ।

ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ,ଏଥିନେଇ ଏକ ଉଦାହରଣ ସୃଷ୍ଟି କରିଛି ଭୁବନେଶ୍ୱରରେ ଥିବା ତିନିଟି ସରକାରୀ ଅନୁଷ୍ଠାନ । ରାଜ୍ୟରେ ଏଭଳି ପ୍ରୟାସ ପ୍ରଥମ । କର୍ମଚାରୀମାନେ ସାଇକେଲିଂ କଲେ କିମ୍ବା ଚାଲିଚାଲି ଆସିଲେ ଅଧିକ ଫିଟ ରହିବେ ଓ ବାୟୁ ପ୍ରଦୂଷଣ କିଛି ମାତ୍ରାରେ କମିବ ବୋଲି ବିଏମସି କମିସନର କହିଛନ୍ତି ।

ଏବେ ପ୍ରତି ଶୁକ୍ରବାର ସାଇକେଲ୍ ବାର । ବିଏମସି, ବିଡିଏ ଓ ବିଏସସିଏଲରେ କର୍ମଚାରୀମାନଙ୍କୁ ଏବେ ଶୁକ୍ରବାର ଦିନ ସାଇକେଲରେ ଆସିବା ବାଧ୍ୟତାମୂଳକ କରାଯାଇଛି । ଗତ ଶୁକ୍ରବାରରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇସାରିଛି । ପ୍ରଦୂଷଣ ରୋକିବା ପାଇଁ ଏଭଳି ପ୍ରୟାସକୁ ସ୍ୱାଗତ କରାଯାଉଛି ।