ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ପଦ୍ମଶ୍ରୀ, ପୁରୁଖା ଅଭିନେତ୍ରୀ ତଥା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ମିତନି ମିଶ୍ରଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କ ବୟସ ୯୧ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁ ସୁଇଜରଲାଣ୍ଡରେ ହୋଇଥିବା ଜଣାପଡିଛି ।
୧୯୨୯ ମସିହାରେ କଟକରେ ଜନ୍ମଗ୍ରହଣ କରିଥିବା ମିନତି ମିଶ୍ର ପାଂଚଟି ଓଡ଼ିଆ ଏବଂ ଗୋଟିଏ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ହେଲା ‘ସୂର୍ଯ୍ୟମୁଖୀ’, ‘ଜୀବନସାଥୀ’,‘ସାଧନା’, ‘ଭାଇଭାଉଜ’ ଏବଂ ‘ଅରୁନ୍ଧତୀ’ । ଠିକ୍ ସେହିପରି ସେ ବଙ୍ଗଳା ଚଳଚ୍ଚିତ୍ର ‘ନିର୍ଜନ ସୈକତେ’ରେ ବି ଅଭିନୟ କରିଥିଲେ।
୧୯୬୪ ମସିହାରୁ ୧୯୮୯ ମସିହା ଯାଏଁ ମିନତି ମିଶ୍ର ଭୁବନେଶ୍ବରରେ ଥିବା ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଥିଲେ। ୨୦୧୨ ମସିହାରେ ତାଙ୍କୁ ଭାରତ ସରକାର ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ କରିଥିଲେ। ଏହାଛଡ଼ା ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ବି ଲାଭ କରିଥିଲେ। ସେ ଭାରତ ବ୍ୟତୀତ ବହୁ ବିଦେଶୀ ରାଷ୍ଟ୍ରରେ ବି ଓଡ଼ିଶୀ ନୃତ୍ୟ ପରିବେଷଣ କରି ବେଶ୍ ଖ୍ୟାତି ଅର୍ଜନ କରିଥିଲେ।