ଶ୍ରୀଲଙ୍କାରେ ଚମକିଲେ ଓଡ଼ିଆ ଝିଅ ଶେଫାଳୀ

ଭୁବନେଶ୍ୱର : ଓଡ଼ିଆ ମଡ଼େଲ ଶେଫାଳୀ ଉଦଗାତା ଏବେ ବିଦେଶରେ ଚମକିଛନ୍ତି । ଶ୍ରୀଲଙ୍କାରେ ଆୟୋଜିତ କରାଯାଇଥିବା ସୌନ୍ଦର୍ଯ୍ୟ ପ୍ରତିଯୋଗିତା  ମିସ୍‌ ବ୍ରିଟିଶ ଏମ୍ପୟାର-୨୦୧୯ରେ ସେ ଦ୍ୱିତୀୟ ରନର୍ସ-ଅପ୍‌ ହୋଇଥିବା ଜଣାପଡ଼ିଛି । ଓଡ଼ିଶାର ବଲାଙ୍ଗୀରରେ ରହୁଥିବା ଶେଫାଳୀ ରାଜ୍ୟ ଓ ଦେଶ ପାଇଁ ସମ୍ମାନ ଆଣିବା ସହ ଆଜି ଓଡ଼ିଶା ଫେରିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ସୂଚନା ମୁତାବକ, କିଛି ଦିନ ତଳେ ସେ ଅପେରା ମିସ୍‌ ଇଣ୍ଡିଆ ଗ୍ଲୋବାଲ ୨୦୧୯ ଜିତିବା ପରେ ତାଙ୍କୁ ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା । ଯେଉଁଠି ତାଙ୍କ ସହ ୭୯ପ୍ରତିଯୋଗୀ ପୁରସ୍କାର ପାଇଁ ଲଢ଼େଇ କରିଥିଲେ । ଉଦଗାତା ଟ୍ୟାଲେଣ୍ଟ ରାଉଣ୍ଡରେ ଓଡ଼ିଶୀ ନାଚି ଉପସ୍ଥିତ ଲୋକଙ୍କ ମନ କିଣିଥିଲେ ବୋଲି ଜଣା ପଡ଼ିଛି । ନିଜର ସୌନ୍ଦର୍ଯ୍ୟ ଓ ବୁଦ୍ଧି ବଳରେ ସେ ୭୯ପ୍ରତିଯୋଗୀଙ୍କ ମଧ୍ୟରୁ ଦ୍ୱିତୀୟ ରନର୍ସ-ଅପ୍  ହେବାରେ ସଫଳ ହୋଇଥିଲେ ଶେଫାଳୀ।