“ବେସର ଚିକେନ୍” କରି ମାଷ୍ଟର ସେଫ୍ ରେ ମନ ଜିଣିଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା “ମାଷ୍ଟର ସେଫ୍”ରେ ଓଡ଼ିଆ ପୁଅ ଅବିନାଶ ନାୟକ ବେସର ଚିକେନ୍ କରି ବିଚାରପତିଙ୍କ ମନ ଜିଣିଛନ୍ତି । ଇନ୍‌ଫୋସିସ୍‌ରେ ଇଞ୍ଜିନିୟର ଭାବେ ଚାକିରି କରିଥିବା ଅବିନାଶ ପ୍ରତିଯୋଗିତାରେ ଭାଗ ନେଇ ‘ଚିକେନ୍‌‌ ବେସର’ କରି ଉପସ୍ଥିତ ୩ ଜଣ ବିଚାରପତିଙ୍କୁ ତାଙ୍କ ସ୍ୱାଦ ଚଖାଇ ଚକିତ କରାଇଥିଲେ । ଫଳରେ ଏଭଳି ଏକ ନୂଆ ରେସିପି ଖାଇ ଉପସ୍ଥିତ ଥିବା ବିଚାରପତି ବିକାଶ ଖାନ୍ନା, ରଣବୀର ବରାର ଏବଂ ଭିନିତ୍‌ ଭାଟିଆ ବେଶ୍ ଖୁସି ହୋଇଯାଇଥିଲେ  ।

ଅବିନାଶ ଶୋରିଷ ବେସର ଦେଇ ଚିକେନ ରୋଷେଇ କରି ମାଷ୍ଟର୍‌ ସେଫ୍-୬ର ଅଡିସନ୍‌ ରାଉଣ୍ଡ୍‌ରେ ମନୋନୀତ ହୋଇଛନ୍ତି। ବିଚାରପତିମାନେ ଅବିନାଶଙ୍କ ଖାଦ୍ୟର ସ୍ୱାଦ ଜାଣିବା ପରେ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ।

ପାରମ୍ପରିକ ରନ୍ଧଣା ଶୈଳୀରେ ଆଧୁନିକ ଛୁଙ୍କ ଦେଇଥିବା ଅବିନାଶଙ୍କ ‘ଡିସ୍‌’ ଖାଇବା ପରେ ସେଫ୍‌ ବିକାଶ କହିଥିଲେ, ‘ଜୟ ହୋ ଓଡ଼ିଶା’। ଆଶା ରହିଛି ଯେ ଆସନ୍ତା ରାଉଣ୍ଡ୍‌ମାନଙ୍କରେ ବି ଅବିନାଶ ତାଙ୍କ ହାତରନ୍ଧାର ଯାଦୁ ଚଲାଇବା ଜାରି ରଖିବେ।

ଏହି ଲୋକପ୍ରିୟ ରାନ୍ଧଣା ପ୍ରତିଯୋଗିତାରେ ମନୋନୀତ ହେବାରେ ଅବିନାଶ ଓଡ଼ିଶାରୁ ପ୍ରଥମ। ତାଙ୍କ ଘର ଗଞ୍ଜାମର ଆସ୍କାଠାରେ। ପୂର୍ବରୁ ସେ ଲୋକିକୁକ୍‌ସ ଫେଲୋସିପ୍‌ ୨୦୧୯ ପାଇଥିବା ବେଳେ ଗତବର୍ଷ ହଳଦିରାମ ପକ୍ଷରୁ ହୋଇଥିବା ଏକ ରାନ୍ଧଣା ପ୍ରତିଯୋଗିତାରେ ଶୀର୍ଷ ୧୫ ଜଣଙ୍କ ମଧ୍ୟରେ ରହିଥିଲେ।