ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ‘ଜବାବ ମାଗୁଛି ଓଡିଶା’ ଆନ୍ଦୋଳନ ଆରମ୍ଭ

ଭୁବନେଶ୍ୱର  : ସମୟ ଆସିଛି ଓଡିଶାବାସୀ ଏବେ ୧୯ ବର୍ଷ ସରକାରକୁ ଜବାବ ମାଗିବେ । ଆଉ ଚୁପ୍ ହୋଇ ବସିବେନି ଯୁବକ, ଛାତ୍ର, ମହିଳା । ଦୁର୍ନୀତିର ପେଡି ଓ ଭ୍ରଷ୍ଟାଚାରର ବୁଢିଆଣି ଜାଲ ବିଛାଇଥିବା ରାଜ୍ୟସରକାରଙ୍କ ବିରୁଦ୍ଧରେ ପ୍ରତିବାଦର ସ୍ୱର ଉଠାଇବେ ସାଢେ ୪ କୋଟି ଜନତା । ପିସିରେ ପେଷି ହେଉଥିବା ଗରୀବ ଲୋକ ଏବେ ପ୍ରଶ୍ନ କରିବେ, ଜବାବ ମାଗିବେ ଏବଂ ନୂଆ ଓଡିଆ ଗଠନରେ ନିଜକୁ ସାମିଲ କରିବେ । ଅନ୍ୟପଟେ ଚାଷୀଠୁ ଆରମ୍ଭ କରି ବୁଦ୍ଧିଜୀବୀ ପର୍ଯ୍ୟନ୍ତ ନିଜର ଅକୁହା କଥାକୁ ଅଡିଓ, ଭିଡିଓ ଏବଂ ୱେବସାଇଟ ମାଧ୍ୟମରେ ରାଜ୍ୟସରକାରଙ୍କ ପାଖରେ ପହଂଚାଇବେ । କାହିଁକି ସାଧାରଣ ଜନତା ତାର ମୈାଳିକ ଅଧିକାରରୁ ବଂଚିତ ରହୁଛି ? କାହିଁକି ମହିଳାମାନେ ରାଜ୍ୟରେ ଅସୁରକ୍ଷିତ ଅଛନ୍ତି ? ଶିଶୁ କାହିଁକି କୁପୋଷଣରେ ଶିକାର ହୋଇ ମୃତ୍ୟୁମୁଖରେ ପଡୁୁଛି ? ନାବାଳିକା କାହିଁକି ଦୁଷ୍କର୍ମର ଶିକାର ହୋଇ ଆତ୍ମହତ୍ୟା କରୁଛି ? ଫସଲ ହାନି ଓ ଋଣଭାରରେ ଚାଷୀ କାହିଁକି ନିଜ ଜୀବନ ହାରୁଛି? ଏମିତି ଅନେକ ପ୍ରଶ୍ନର ଜବାବ ମାଗିବାକୁ ପ୍ରସ୍ତୁତ ହୋଇଛି ସାରା ଓଡିଶା । ଏହି ପ୍ରରିପ୍ରେକ୍ଷୀରେ ଆଜି ରାଜ୍ୟ ଯୁବମୋର୍ଚ୍ଚା ପକ୍ଷରୁ ‘ଜବାବ ମାଗୁଛି ଓଡିଶା’ ଆନ୍ଦୋଳନ ଆରମ୍ଭ ହୋଇଛି ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି ।
ଏହି ଅବସରରେ ଆଜି ବରମୁଣ୍ଡା ପଡିଆଠାରେ ‘ଜବାବ ମାଗୁଛି ଓଡିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭୦ ଟି ରଥ ସହ ‘ଜବାବ ମାଗୁଛି ଓଡିଶା’ର ସିଡି ଉନ୍ମୋଚନ ହୋଇଛି । ଏହା ସହ ରଥରେ ପ୍ରଦର୍ଶିତ ହେବାକୁ ଥିବା ଭିଡିଓକୁ ଲଂଚ କରାଯାଇଛି । ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ଟାବଲେଟ ମାଧ୍ୟମରେ ଅଡିଓ, ଭିଡିଓ ପ୍ରଶ୍ନ ପଚାରିବାର ଶୁଭାରମ୍ଭ କରିଛନ୍ତି ।

 ୭୦ ନିର୍ବାଚନ ମଣ୍ଡଳୀକୁ ଗଡିଲା ୭୦ଟି ରଥ
 ନିଜ ମୋବାଇଲ ନମ୍ବରରୁ ‘୯୫୫୫-୨୨୭-୨୨୭’ ରେ ମିସଡ କଲ ଦେଇ ରାଜ୍ୟସରକାରଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରିବେ
 ୱେବ ସାଇଟ ମାଧ୍ୟମରେ ସାଧାରଣ ଜନତା‘http://jababmaguchiodisha.in/’ ଦ୍ୱାରା ଲଗଇନ କରି ମାଗିବେ ଜବାବ
 ନୂଆ ଟେକ୍ନୋଲୋଜି ମାଧ୍ୟମରେ ସାଢେ ୪ କୋଟି ଓଡିଆ ଜବାବ ମାଗିବେ
 ଅଡିଓ, ଭିଡିଓ ଏବଂ ୱେବସାଇଟ ମାଧ୍ୟମରେ ଅଭିଯୋଗ କରି ପ୍ରଶ୍ନ ପଚାରିବେ ଓଡିଶାବାସୀ
 ରାଜ୍ୟସରକାରଙ୍କ ଅପାରଗତାକୁ ଲୋକଙ୍କ ସାମ୍ନାରେ ରଖିବେ
 ଓଡିଆ ଯୁବକ ଏକ ବଡ ପରିବର୍ତନ ପାଇଁ ମନ ବଳାଇଲେଣି

ନୂଆ ଟେକ୍ନୋଲୋଜି ମାଧ୍ୟମରେ ଓଡିଶାବାସୀ ପ୍ରଶ୍ନ ପଚାରି ଜବାବ ମାଗିବେ । ଏକ ଟାବଲେଟ୍ ମାଧ୍ୟମରେ ଭିଡିଓ ଓ ଅଡିଓ ମାଧ୍ୟମରେ ନିଜ ପ୍ରଶ୍ନ ପଚାରିପାରିବେ । ନିଜ ମୋବାଇଲ ନମ୍ବରରୁ ‘୯୫୫୫-୨୨୭-୨୨୭’ ରେ ମିସଡ କଲ ଦେଇ ରାଜ୍ୟସରକାରଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରିବେ । ୱେବ ସାଇଟ ମାଧ୍ୟମରେ ସାଧାରଣ ଜନତା ‘‘http://jababmaguchiodisha.in/ଦ୍ୱାରା ଲଗ ଇନ କରି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବେ । ରାଜ୍ୟର ଛାତ୍ରଛାତ୍ରୀମାନେ ଏହି ୱେବସାଇଟ ମାଧ୍ୟମରେ ନିଜର ପ୍ରଶ୍ନ ଲେଖି ଜବାବ ମାଗି ପାରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ଏହି ଆନ୍ଦୋଳନ ରାଜ୍ୟର ୧୪୭ ବିଧାନସଭା ସମେତ ସମସ୍ତ ଗାଁ, ପଂଚାୟତ, ବ୍ଲକ, ସବଡିଭିଜନରେ ପହଂଚିବ । ଓଡିଆ ଯୁବକ ଏକ ବଡ ପରିବର୍ତନ ପାଇଁ ମନ ବାଳାଇ ସାରିଲେଣି । ଏହି ଆନ୍ଦୋଳନ ମାଧ୍ୟମରେ ରାଜ୍ୟସରକାରଙ୍କ ଅପାରଗତାକୁ ସାମ୍ନାକୁ ଅଣାଯିବା ସହ ଆଗାମୀ ଦିନରେ ରାଜ୍ୟବାସୀ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଜବାବ ଦେବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ଦୀର୍ଘ ୪୦ ବର୍ଷ ଧରି ଓଡିଶାକୁ ଦୁଇ ପଟ୍ଟନାୟକ ପରିବାର ଶାସନ କରିଆସୁଛନ୍ତି । ଏହା ସତ୍ୱେ ବି ରାଜ୍ୟବାସୀ ତାଙ୍କ ଅଧିକାର ପାଇବାରୁ ବଂଚିତ ହେଉଛନ୍ତି । ଓଡିଆ ଯୁବକଯୁବତୀମାନେ ନିଜର ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ରାଜ୍ୟସରକାରଙ୍କ ୧୯ ବର୍ଷ ଶାସନରେ ୩୫ ଲକ୍ଷ ଶିକ୍ଷିତ ଓଡିଆ ଯୁବକ ଓ ଯୁବତୀ ଏମ୍ପେ୍ଲାଇମେଂଟ ଏକ୍ସଚେଂଜରେ ନିଜର ନାମ ପଜୀଂକରଣ କରିଥିଲେ ସୁଦ୍ଧା ରାଜ୍ୟସରକାର ସେମାନଙ୍କୁ ରୋଜଗାର ଯୋଗାଇ ଦେବାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ରାଜ୍ୟସରକାରଙ୍କୁ ଯବାବ ଦେବାକୁ ପଡିବ ଓଡିଆ ଯୁବକଯୁବତୀମାନଙ୍କୁ ରୋଜଗାର ମିଳୁନାହିଁ କାହିଁକି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।
ଦୀର୍ଘ ୧୯ ବର୍ଷ ଧରି ନବୀନ ବାବୁ ଓଡିଶାକୁ ପଙ୍ଗୁ ବନେଇ ଦେଇଛନ୍ତି । ଜବାବ ମାଗୁଛି ଓଡିଶା ରଥ ଗାଡି ସହ ଟାବଲେଟ ମାଧ୍ୟମରେ ଜବାବ ମଗାଯିବ । ଚାଷୀ ଆତ୍ମହତ୍ୟା, ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି ଏବଂ କେନ୍ଦ୍ରସରକାର ସବୁ ପ୍ରକାରରର ସାହାଯ୍ୟ ଯୋଗାଇ ଦେବା ପରେ ରାଜ୍ୟ ସରକାର ତାକୁ ରାଜ୍ୟରେ ଲାଗୁ ନକରିବା ଅତ୍ୟନ୍ତ ର୍ଦୁଭାଗ୍ୟପୂର୍ଣ୍ଣ ଘଟଣା । ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଜଳ ସଂମ୍ପଦ ବିଭାଗ ଥିଲେ ମଧ୍ୟ ସେ ଲୋକଙ୍କ ହିତ ପାଇଁ ଗୋଟିଏ ବି ଜଳସେଚନ ପ୍ରକଳ୍ପ କରିପାରି ନାହାଁନ୍ତି । ଜନସାଧାରଣ ପଇସାକୁ ଠିକାଦାରମାନଙ୍କ ଦ୍ୱାରା ହରିଲୁଟ୍ କରାଯାଉଛି ବୋଲି ରାଜ୍ୟ ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ ଅଭିଯୋଗ କରିଛନ୍ତି ।

୧୯ ବର୍ଷ ସରକାରରେ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ପାରିଲେନି । ଓଡିଶାର ମେଡିକାଲରେ ଅଧା ଡାକ୍ତର ନାହାଁନ୍ତି । ୫ଟି ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ଅନୁଦାନ ଦେବା ପରେ ବି ମୟୁରଭଂଜ ମେଡିକାଲରେ ପାଣି ଗଳୁଛି ଓ ମେଡିକାଲ କଲେଜରେ ଡାକ୍ତର ନାହାଁନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଛି । ଚିଟଫଣ୍ଡ, ଖଣି ଦୁର୍ନୀତି, ପିସିର ଦାନବକୁ କିଏ ଦାନା ଦେଉଛି ମୁଖ୍ୟମନ୍ତ୍ରୀ ମହାଶୟ ଏହାର ଜବାବ ଦେବାର ଆବଶ୍ୟକ ରହିଛି । ସରୋଜ ସାହୁ ନାମକ ବ୍ୟକ୍ତି ଜଣଙ୍କ କିଏ । ଭ୍ରଷ୍ଟାଚାରୀ ରୂପୀ ଏହି ଛୋଟିଆ ଦାନବ ସହ କଣ ସମ୍ପର୍କ ମୁଖ୍ୟମନ୍ତ୍ରୀଙ୍କର ରହିଛି ତାର ଜବାବ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି ।
ରାଜ୍ୟର ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ରାଜ୍ୟରେ ଜଳସେଚନର ବ୍ୟବସ୍ଥା ନାହିଁ । ୨୦୧୭-୧୮ ମସିହାରେ ରାଜ୍ୟ ସରକାରଙ୍କ ଇକୋନମିକ୍ ସର୍ଭେରେ କେତେ ପ୍ରତିଶତ ଜଳସେଚନ ହୋଇଛି ରାଜ୍ୟ ସରକାର ତାର ତଥ୍ୟ ଦେଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୧୪ ବ୍ଲକରେ କେତେ ଜଳସେଚନ ହୋଇଛି ତାହା ନିଜେ ସ୍ପଷ୍ଟ କରିବା ଦରକାର । ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କେନ୍ଦ୍ର ସରକାର ୧୫୫୦ରୁ ୧୭୫୦ ଟଙ୍କା ବୃଦ୍ଧି କରିଥିବା ବେଳେ ରାଜ୍ୟର ଚାଷୀ ମାତ୍ର ୫୦୦ରୁ ୮୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଏ ସମସ୍ତ କାମ ପାଇଁ ରାଜ୍ୟ ସରକାର ଦାୟୀ । ଗରିବ ଯୁବକଙ୍କ ରୋଜଗାର ବନ୍ଦ କରି କେ-୨ ମାଧ୍ୟମରେ ନିଜ ଦଳର କର୍ମୀ, ନେତାଙ୍କୁ ଠିକାଦାରୀ ଦେବାର ବ୍ୟବସ୍ଥା କରାଯାଇଛି । ଅହଂକାରରେ ମଦମସ୍ତ, ନିଶାରେ ଚୁର୍ ଥିବା କୁମ୍ଭକର୍ଣ୍ଣ ସରକାରଙ୍କ ନିଦ ଭାଙ୍ଗିବା ପାଇଁ ଜବାବ ମାଗିବାର ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଓଡିଆ ଆବେଗ ସହ ସଂପର୍କ ନାହିଁ । ମୁଖ୍ୟମନ୍ତ୍ରୀ ବାହାଘର ବେଳେ ବାଇଗଣ ରୋଇବା ପରି ନିର୍ବାଚନ   ସମୟରେ ଯୋଜନା ଘୋଷଣା କରି ଲୋକମାନଙ୍କୁ ବୋକା ବନାଇବା ପାଇଁ ଆଉଥରେ ପ୍ରୟାସ କରୁଛନ୍ତି । ୧୯ ବର୍ଷ ସରକାର ଯେପରି ଭାବେ ଚାଷୀ, ଆଦିବାସୀ, ଯୁବକ, ଛାତ୍ର, ମହିଳା, ଦଳିତ, ଚାକରିଆ ମାନଙ୍କୁ ଶୋଷଣ କରିଛନ୍ତି ଏବେ ସମୟ ଆସିଛି ଏ ସରକାରକୁ ଜବାବ ମାଗିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଓଡିଆ ପଢିପାରନ୍ତିନି କି ବୁଝିପାରନ୍ତିନି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତାତ୍ସଲ୍ୟ କରି କହିଛନ୍ତି । ଆମ ଗାଁ ଆମ ବିକାଶ ମାଧ୍ୟମରେ ଗାଁର ବିକାଶ ନହୋଇ ଦଳୀୟ କର୍ମୀମାନଙ୍କ ବିକାଶ ହେଉଛି । ଡିଷ୍ଟିଟ୍ ମିନେରାଲ ଫଣ୍ଡରେ ହଜାର ହଜାର କୋଟି ଟଙ୍କା ପଡିକି ରହିଛି । କେନ୍ଦ୍ର ସରକାର ଦେଉଥିବା ଅନୁଦାନ ରାଶିକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାଁନ୍ତି । ରାଜ୍ୟସରକାର ରେଲୱ ପାଇଁ ଜମି ଅଧିଗ୍ରହଣ ନକରି ଜାଣିଶୁଣି ବିଳମ୍ବ କରୁଛନ୍ତି । ଏହି ରଥ ବୁଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ହଜିଯିବ ବୋଲି ଶ୍ରୀ ଓରାମ କହିଛନ୍ତି ।
ଗାଁ, ସାହି, ବସ୍ତି, ପଡୋଶୀ, ବଜାର ଆଜି ଜବାବ ମାଗୁଛି । ଚାଷୀ ମାଗୁଛି ଜବାବ କି ଧାନର ରେଟ୍ କେବେ ବଢିବ, ଜଳସେଚନ କେବେ ହେବ, ଋଣ ଛାଡ କେବେ ହେବ, ବିନା ସୁଧରେ ଋଣ କେବେ ଦେବ , ଲୋ ଭୋଲଟେଜ ସମସ୍ୟା କେବେ ଦୂର ହେବ, ଡିପ ବୋରବେଲ କେବେ ହେବ । ସେହିପରି ଯୁବକମାନେ ଜବାବ ମାଗୁଛନ୍ତି କି, କୋଜଗାର କେବେ ଦେବ, ଚାକିରୀ କାମ କେବେ ଦେବ । ଡାକ୍ତରଖାନା, ମାଗଣା ଔଷଧ, ଡାକ୍ତର, କେବେ ରାଜ୍ୟସରକାର ଯୋଗାଇ ଦେବେ ତାହାର ଜବାବ ଆଜି ରୋଗୀ ମାଗୁଛି । ରାଜ୍ୟର ନାରୀମାନେ ସେମାନଙ୍କ ସୁରକ୍ଷାକୁ ନେଇ ଜବାବ ମାଗୁଛନ୍ତି । ଆଦିବାସୀ, ମହିଳା, କୃଷକ, ଛାତ୍ର, ଯୁବକ, ଶ୍ରମିକ, ଶିକ୍ଷକ, କର୍ମଚାରୀ, ଗାଁ ସାଥୀଙ୍କ ସମେତ ସାଢେ ୪ କୋଟି ଓଡିଆ ତାଙ୍କ ଅଧିକାର କେବେ ମିଳିବ ବୋଲି ଆଜି ଜବାବ ମାଗୁଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।

ଏହି ଆନ୍ଦୋଳନ ସଭାରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ, ଭୃଗୁ ବକ୍ସିପାତ୍ର, ପୃଥୀରାଜ ହରିଚନ୍ଦନ, ରଂଜନ ପଟେଲ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଦିଲୀପ ମଲିକ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ସମୀର ଦେ, ବିଧାୟକ ପ୍ରଦୀପ ପୁରୋହିତ ଓ ରବି ନାୟକ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟୀୟ ଉପସଭାପତି ଠାକୁର ରଂଜିତ ଦାସ, ବିଜେପି ନେତ୍ରୀ ଅପରାଜିତା ଷଢଙ୍ଗୀଙ୍କ ସମେତ ଶତାଧିକ ସଂଖ୍ୟାରେ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।