ଭୁବନେଶ୍ୱର : ରାଜ୍ୟରେ ବେକାର ଯୁବକଯୁବତୀମାନଙ୍କୁ ରୋଜଗାର ଦେବା ଏବଂ ପିସି କାରବାର ବନ୍ଦ ଦାବି ନେଇ ରାଜ୍ୟର ସମସ୍ତ ଏକଜ୍ୟୁକେଟିଭ ଇଂଜିନିୟର ଏବଂ ଏସଡିଓ ଅଫିସ ଆଗରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ହରତାଲ ଚାଲିଛି । ଶତାଧିକ ସଂଖ୍ୟାରେ ଯୁବ କାର୍ଯ୍ୟକର୍ତାମାନେ ଯୁବକ ଯୁବତୀମାନଙ୍କୁ ରୋଜଗାର ଦେବା ନେଇ ରାଜ୍ୟସରକାରଙ୍କ ନିଷ୍କ୍ରିୟତା ବିରୋଧରେ ଦୃଢ ପ୍ରତିବାଦ କରିଛନ୍ତି ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି ।
ରାଜ୍ୟସରକାର ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ପିସି କାରବାରକୁ ପ୍ରାଧାନ୍ୟ ଦେଇ ଚାଲିଛନ୍ତି । ରାଜ୍ୟସରକାର ରୋଜଗାର ନଦେବା କାରଣରୁ ଓଡିଆ ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟ ସରକାର ୫ ଲକ୍ଷଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କାମ ପାଇଁ ଟେଣ୍ଡର ନକରି ଇଚ୍ଛା ମୁତାବକ କାମ ବାଂଟିବା ପ୍ରକ୍ରିୟା କରି ଦଳୀୟ ଭିତିରେ ଟଙ୍କା ବଂଟନ କରୁଛନ୍ତି । ଏହା ଦ୍ୱାରା ବିଜେଡ଼ି ନେତା ତଥା ବିଧାୟକ ମାନେ ଛାୟା କଂଟ୍ରାକ୍ଟର ହୋଇଯାଇଛନ୍ତି । ଯେଉଁ କାମ ସାଧାରଣ ଓଡ଼ିଆ ଯୁବକ କରି ରୋଜଗାର ରାସ୍ତାରେ ଯାଇଥାନ୍ତା ନବୀନ ପଟ୍ଟନାୟକ ସରକାରଙ୍କର ପିସିକୁ ପ୍ରୋତ୍ସାହନ ଦେବା ନୀତି କାରଣରୁ ବିଧାୟକମାନେ ସାଧାରଣ ଯୁବକଙ୍କଠାରୁ ଏହି କାମ ଛଡ଼ାଇ ନେଇଛନ୍ତି । ପଲ୍ଲୀସଭା ନକରି ‘ଅ।।ମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ମାଧ୍ୟମରେ ଶାସକ ଦଳର ବିଧାୟକମାନେ ନିଜ ଦଳୀୟ କର୍ମୀମାନଙ୍କୁ ଟେଣ୍ଡର ଦେଉଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି ।
ରାଜ୍ୟସରକାର ରାଜ୍ୟରେ କେବଳ ଦୁର୍ନତୀ, ଭ୍ରଷ୍ଟାଚାର ଏବଂ ପିସି କାରବାର ବଢାଇଚାଲିଛନ୍ତି
ରାଜ୍ୟ ସରକାର ୫ ଲକ୍ଷଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କାମ ପାଇଁ ଟେଣ୍ଡର ନକରି ଇଚ୍ଛା ମୁତାବକ କାମ ବାଂଟିବା ପ୍ରକ୍ରିୟାକୁ ବିରୋଧ
ହରତାଲ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ
ଡିସେମ୍ବର ୨୫ ତାରିଖରୁ ରୋଜଗାର ପରାମର୍ଶ ପଦଯାତ୍ରା ୧୪୭ଟି ବିଧାନସଭା ମଣ୍ଡଳୀରେ ଆରମ୍ଭ ହେବ
ଡିସେମ୍ବର ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ହରତାଲ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ସହ ଡିସେମ୍ବର ୨୫ ତାରିଖରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମତିଥୀ ଅବସରରେ ରୋଜଗାର ପରାମର୍ଶ ପଦଯାତ୍ରା ୧୪୭ଟି ବିଧାନସଭା ମଣ୍ଡଳୀରେ ଆରମ୍ଭ ହେବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।
ସୁନ୍ଦରଗଡ, ବୌଦ୍ଧ, ଜଗତସିଂହପୁର, ଜୟପୁର, ବଲାଙ୍ଗୀର ସମେତ ଅନେକ ଜିଲ୍ଲାରେ ହରତାଲ ହେବା ସହ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ହରତାଲକୁ ବ୍ୟାପକ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।