ଓଡ଼ିଶାରେ ହେବ ମହାମେଂଟ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଓଡ଼ିଶାରେ ମହାମେଂଟ ହେବ । ବିଜେଡି ଓ ବିଜେପି ବିରୋଧରେ ଏଭଳି ମେଂଟ ହେବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡି. ରାଜା । ରବିବାର ଭୁବନେଶ୍ୱରରେ ଏକ ସର୍ବଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ସିପିଆଇ, ଜେଏମ୍ଏମ୍ ଓ କଂଗ୍ରେସକୁ ନେଇ ମହାମେଂଟ ହେବ । ଗାଦିଠାରୁ ବିଜେଡି ଓ ବିଜେପିକୁ ଦୂରେଇ ରଖିବା ପାଇଁ ଆସନ୍ତା ନିର୍ବାଚନରେ କଂଗ୍ରେସ ରାଜ୍ୟରେ ସମଭାବାପନ୍ନ ରାଜନୈତିକ ଦଳ ଓ ନେତାଙ୍କ ସହ ମିଶି ରଣାଙ୍ଗନକୁ ଓହ୍ଲାଇବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବରୁ ଇଙ୍ଗିତ କରି କହିଥିଲେ । ଓଡିଶାରେ ଏଭଳି ମେଂଟ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମ୍ମତି ଦେବା ପରେ ପିସିସି ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ବୋଲି ସେ କହିଛନ୍ତି । ତେବେ ଡି. ରାଜାଙ୍କ ମନ୍ତବ୍ୟ ଉପରେ ତାଙ୍କ ପ୍ରତିକ୍ରିୟା ମିଳିନାହିଁ ।