ଆଉ ୧୨ ଘଣ୍ଟା ବର୍ଷିବ, ଲାଗି ରହିବ କୋହଲା ପାଗ, ବଢିବ ଶୀତ

ଭୁବନେଶ୍ୱର : ସାମୁଦ୍ରିକ ଝଡ ପେଥାଇ ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁ ସାରିଛି । ଧିରେ ଧୀରେ ଏହା ଦୁର୍ବଳ ହେଉଛି । ହେଲେ ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟାଯାଏ ଓଡିଶାରେ ବର୍ଷାର ପ୍ରଭାବ ରହିବ । ଖାସ କରି ଦକ୍ଷିଣ ଓଡିଶାର ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ ।
ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିବ। ଗଞ୍ଜାମ, ପୁରୀ, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ମଙ୍ଗଳବାର ଅପରାହ୍ନ ବେଳକୁ ପାଗରେ କିଛିଟା ପରିବର୍ତନ ଆସିବ। ଏହାପରେ ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବାନୁଯାୟୀ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ଘୂର୍ଣ୍ଣିଝଡ଼ ଦୁର୍ବଳ ହେଉଛି। ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ଓ ପୁରୀରେ ପ୍ରବଳ ବର୍ଷା ହେବ। ୧୮ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ବର୍ଷା ଓ ମେଘୁଆ ପାଗ ଯୋଗୁଁ ଶୀତର ପ୍ରକୋପ ବଢ଼ିବ।

ଅନ୍ୟପକ୍ଷରେ ‘ପେଥାଇ’ ପ୍ରଭାବରେ ଦିନତମାମ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଲାଗିରହିଛି। ଆଉ କିଛି ଅଞ୍ଚଳରେ ଝିପି ଝିପି ବର୍ଷା େହାଇଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାରୁ ଲୋକେ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ତାହାକୁ ଦୃଷ୍ଟିରେ ରଖି ଗଜପତି ଓ ନୂଆପଡ଼ା ଜିଲ୍ଲାର ୧୩ ହଜାର ୪୬୭ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥାଳକୁ ସ୍ଥାନାନ୍ତର କରାଯାଇଛି।
ସକାଳୁ ସନ୍ଧ୍ୟା ପର‌୍ୟ୍ୟନ୍ତ ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇଛି। ମଙ୍ଗଳବାର ବର୍ଷା ଛାଡ଼ିବା ପରେ ପୁଣିଥରେ ଶୀତ ଲେଉଟିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଫେବ୍ରୁଆରୀ ୨୨ରୁ ମାଟ୍ରିକ ପରୀକ୍ଷା