ଆସନ୍ତା ୨୩ ଯାଏଁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ

ଭୁବନେଶ୍ୱର: ଆସନ୍ତା ୨୩ ଯାଏଁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ହେବ । ଫଳରେ ଏହି ସମୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହେବ । ଏହାସହ ବିଜୁଳି ଓ ଘଡଘଡିର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । ଏଥିଯୋଗୁଁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍‌ ଦେଇ ବାକି ଜିଲ୍ଲାଗୁଡ଼ିକରେ ତାପମାତ୍ରା କମିବ। ଆଜି ମଧ୍ୟ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକ ସମେତ ବଲାଙ୍ଗୀର, ନବରଙ୍ଗପୁର, ବାଲେଶ୍ୱର, ଅନୁଗୁଳ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ବାରିପଦା, ନୂଆପଡ଼ା, କୋରାପୁଟ, ଢେଙ୍କାନାଳ ଆଦି ଅଂଚଳରେ କାଳବୈଶାଖୀ ବର୍ଷା ହୋଇଥିବା ଜଣାଯାଇଛି।

ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, କନ୍ଧମାଳ, ମୟୂରଭଂଜ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ବାକି ସ୍ଥାନଗୁଡ଼ିକରେ ପାଗ ଶୁଖିଲା ରହିବ। ସେହିପରି ସୋମବାରଠାରୁ ୨୩ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକ ସମେତ ରାୟଗଡ଼ା, ଗଜପତି, କୋରାପୁଟ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ କନ୍ଧମାଳ ଆଦି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ କାଳବୈଶାଖୀ ହେବ। ଏହି ସମୟରେ ପବନର ବେଗ ଘଂଟା ପ୍ରତି ୩୦ରୁ ୫୦ କିଲୋମିଟର ମଧ୍ୟରେ ରହିବ। ତେବେ ଏହି କାଳବୈଶାଖୀ ଯୋଗୁଁ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରାରେ ସେପରି କୌଣସି ପ୍ରଭାବ ପଡ଼ିବ ନାହିଁ।