୧୫ରୁ ବଢ଼ିବ ତାତି

ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ଥଣ୍ଡାପାଗ ରହିବ । ମାତ୍ର ୧୫ରୁ ତାତି ପାଗରେ ପରିବର୍ତନ ହେବା ସହ ତାତି ବଢ଼ିବ ବୋଲି ସୂଚନା ମିଳିଛି । ସବୁ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଦିନର ତାପମାତ୍ରା ୩୦ ଡିଗ୍ରି ଟପିବାକୁ ଥିବା ବେଳେ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରକୁ ଚାଲିଯିବ। ‌ତେବେ ଫେବ୍ରୁଆରି ୧୫ରୁ ୧୭ ତାରିଖ ଯାଏ ଭୋର ସମୟରେ ଉପକୂଳ ଓଡ଼ିଶା ସମେତ କୋରାପୁଟ, ରାୟଗଡ଼ା, କନ୍ଧମାଳ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି ଆକଳନ କରାଯାଇଛି ଯେ ୧୩ ତାରିଖ ତଥା ଗୁରୁବାର ଦିନ ଅନୁଗୁଳ, ସୋନପୁର, ବଲାଙ୍ଗୀର, ବୌଦ୍ଧ, କଟକ, ବାଲେଶ୍ବର ଓ ଖୋର୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଉକ୍ତ ସହରଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିବ। ୧୪ ତାରିଖରେ ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଥଣ୍ଡା ଅନୁଭୂତ ହେବ। ଗତ ୨୪ ଘଂଟା ମଧ୍ୟରେ ସୋନପୁରଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଅନୁଗୁଳରେ ୮ ଡିଗ୍ରି ଥିବା ବେଳେ ଫୁଲବାଣୀ ଓ ବୌଦ୍ଧରେ ୯, ଟିଟିଲାଗଡ଼ରେ ୯.୧, କେନ୍ଦୁଝରରେ ୯.୯ ଡିଗ୍ରି ଥିଲା। ଅନ୍ୟ ସବୁ ସହରରେ ସର୍ବନିମ୍ନ ପାରଦ ୧୦ ଡିଗ୍ରି ଉପରେ ଥିଲା। ତେ‌ବେ ଆଜି ଦିନରେ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଛୁଇଁଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଏହା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।