ଓଟିଡିସିର ନୂଆ ପ୍ରୟାସ: ବିବାହ ଆୟୋଜନ ପାଇଁ ଦେବ ପ୍ୟାକେଜ୍

ଭୁବନେଶ୍ୱର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ନୂଆ ପ୍ରୟାସ ଆରମ୍ଭ ହୋଇଛି । ଏହି ଅନୁଯାୟୀ, ରାଜ୍ୟର ପ୍ରମୁଖ ପାନ୍ଥନିବାସରେ ବିବାହ ଆୟୋଜନ ପାଇଁ ପ୍ୟାକେଜ୍ ଦେବା ନେଇ ଘୋଷଣା କରିଛି । ତେବେ ବିବାହ ଉତ୍ସବର ସମସ୍ତ ଦାୟିତ୍ୱ ନେବ ଓଟିଡିସି । ରାଜ୍ୟ କିମ୍ବା ରାଜ୍ୟ ବାହାରର ପର୍ଯ୍ୟଟକମାନେ ଏହାର ଲାଭ ଉଠାଇପାରିବେ ।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ବିବାହ ଋତୁକୁ ଆଖିରେ ରଖି ଓଟିଡିସି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୬ଟି ପାନ୍ଥନିବାସ ଯଥା ଗୋପାଳପୁର, ରମ୍ଭା, କୋଣାର୍କ, ପୁରୀ, ଚାନ୍ଦିପୁର ଓ ବଡ଼କୂଳରେ ବିବାହ ପ୍ୟାକେଜ୍ ଉପଲବ୍ଧ ହେବ। ଏହି ବ୍ୟବସ୍ଥା ଅନୁସାରେ ମେହେନ୍ଦି ରସମଠୁ ଆରମ୍ଭ କରି ବିବାହ ସାଜସଜ୍ଜା, ବିବାହ ପଦ୍ଧତି, ଭିଡିଓଗ୍ରାଫି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଖାପାଖି ଦର୍ଶନୀୟ ସ୍ଥାନକୁ ଭ୍ରମଣ ସୁବିଧା ଓଟିଡିସି ପକ୍ଷରୁ ଯୋଗାଇ ଦିଆଯିବ। ବିବାହର ସମ୍ପୂର୍ଣ୍ଣ ଆୟୋଜନ ସହିତ ନବଦମ୍ପତିଙ୍କ ପାଇଁ ହନିମୁନ୍ ପ୍ୟାକେଜର ମଧ୍ୟ ବ୍ୟବସ୍ଥା ରହିଛି।

ଏହାବ୍ୟତୀତ ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବୁଲିବା ନିମନ୍ତେ ୨ଟି ବସସେବାର ବ୍ୟବସ୍ଥା ଖୁବଶୀଘ୍ର ଆରମ୍ଭ କରାଯିବ। ଚିଲିକା ଭିତରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଖାଇବା ବ୍ୟବସ୍ଥା ଯୋଗାଇ ଦେବାକୁ ମଧ୍ୟ ଖୁବଶୀଘ୍ର ଭାସମାନ ରେଷ୍ଟୁରାଣ୍ଟ ଓ ହାଉସ୍ ବୋଟ ବ୍ୟବସ୍ଥା ଆରମ୍ଭ କରାଯାଉଛି। ଓଟିଡିସି ବୁକିଂ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ପ୍ରମୁଖ ଅନଲାଇନ୍ ଟ୍ରାଭେଲ୍ ଇଣ୍ଟରମିଡିଆରି ମେକ୍ ମାଇଁ ଟ୍ରିପ, ଗୋଆଇବିବିଓ ଓ ଯାତ୍ରା ଅନଲାଇନ୍ ସହ ଚୁକ୍ତିବଦ୍ଧ କରାଯାଇଛି ବୋଲି ଶ୍ରୀମତୀ ମିଶ୍ର ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଓଟିଡିସି ନିର୍ଦ୍ଦେଶକ, ମ୍ୟାନେଜର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।