ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଥାନା ଅଧିକାରୀଙ୍କ ସହ କଥା ହେଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସଭା ଭବନରୁ ରାଜ୍ୟର ସମସ୍ତ ୬୩୫ ଥାନା ଅଧିକାରୀମାନଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ମୋ ସରକାର କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଦିଗର ଗୁଡିକ ସମ୍ପର୍କରେ ଆଲୋଚନା କରିଛନ୍ତି । ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଅକ୍ଟୋବର ୨ ଠାରୁ ସେ ନିଜେ ପ୍ରତିଦିନ ଥାନାକୁ ଆସୁଥିବା ବିଭିନ୍ନ ଅଭିଯୋଗକାରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଫୋନ କରି ସେମାନେ ଥାନାର କିପରି ବ୍ୟବହାର ଓ ସେବା ପାଇଲେ, ସେ ବିଷୟରେ ପଚାରି ବୁଝିବେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ଜନସାଧାରଣ ହେଉଛନ୍ତି ପ୍ରକୃତ ସରକାର ମୋ ସରକାର । ମୋ ସରକାର ହେଉଛି ସେମାନଙ୍କ ସରକାର । ସେମାନଙ୍କ ଅର୍ଥରେ ପ୍ରଶାସନ ଚାଲୁଛି, ପୋଲିସ ଷ୍ଟେସନ ଚାଲୁଛି । ତେଣୁ ସେମାନଙ୍କ ୁ ସମ୍ମାନର ସହିତ ବ୍ୟବହାର କରିବା ଆମର ନୈତିକ ଦାୟିତ୍ୱ । ସେ ଆହୁରି କହିଛନ୍ତି ଯେ, ଲୋକଙ୍କ ମତାମତ ଉପରେ ଭଲ କାମକୁ ତୁରନ୍ତ ପ୍ରଶଂସା କରାଯିବ ।ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କ ଫୋନ ନମ୍ବର ପଞ୍ଜୀକରଣ କରାଯିବ ଏବଂ ଏହା ଏସପିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଉପଲବ୍ଧ ହେବ । ମୋ ସରକାର କାର୍ଯ୍ୟକ୍ରମରେ ସରକାର ଅଭିଯୋଗକାରୀଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଉତମ ସେବା ଯୋଗାଇ ଦେବେ । ମହିଳାମାନଙ୍କ ଅଭିଯୋଗକୁ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ବଅସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଯେପରି ପୂର୍ବରୁ ସମସ୍ତ କାର୍ଯ୍ୟକ୍ରମକୁ ସଫଳତା କରାଯାଇଛି ସେହିଭଳି ମୋ ସରକାର କାର୍ଯ୍ୟକ୍ରମକୁ ମଧ୍ୟ ରାଜ୍ୟ ପୋଲିସ ଖୁବ୍ ସଫଳତାର ସହିତ କାର୍ଯ୍ୟକାରୀ କରିପାରିବ ବୋଲି ଆଶାପ୍ରକାଶ କରିଥିବା କହିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ କହିଛନ୍ତି, ପୋଲିସ ଅଧିକାରୀମାନେ ନିଜକୁ ଜନସେବକ ଭାବି କାର୍ଯ୍ୟ କରିବା ସହିତ ବୈଷୟିକ ବିଦ୍ୟାର ଉପଯୋଗ କରି ଲୋକଙ୍କୁ ଉତମ ସେବା ଯୋଗାଇ ଦେବା ଉଚିତ୍ । ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଚାଲିଥିବା ବ୍ୟାପକ ତାଲିମ କାର୍ଯ୍ୟକ୍ରମ ସମ୍ପର୍କରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବି.କେ ଶର୍ମା ସୂଚନା ଦେବା ସହିତ ଥାନାକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଓ ତାର ଅଭିଯୋଗ ପ୍ରତି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୁତ ସୂଚନା ଦେଇ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଛନ୍ତି, ମୋ ସରକାର ୫ଟିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ସାରା ଦେଶରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଅଭିଯୋଗକାରୀଙ୍କଚ କୁଆଡେ ଯିବାକୁ ପଡିବନାହିଁ । ପୋଲିସ ଥାନାରେ ଅଭିଯୋଗକୁ ଗୁରୁତ୍ୱ ଦେଇ ତୁରନ୍ତ ସମାଧାନ କରିବା ପାଇଁ ପଦକ୍ଷେପ ନେବେ । ଯଦି ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ନ ଥାଏ , ତେବେ ସେ ତାଙ୍କର ଆତ୍ମୀୟ ମାନଙ୍କର ନମ୍ବର ଦେଇପାରିବେ ।ସେହିଭଳି ଥାନା ଅଧିକାରୀ ଅବହେଳା କ୍ରମେ ଅଭିଯୋଗକାରୀର ମୋବାଇଲ ନମ୍ବର ପଞ୍ଜୀକରଣ ନ କରନ୍ତି, ସେ ଯେତ୍ରରେ ଅଭିଯୋଗ କାରୀ ଟୋଲ ଫ୍ରି ନମ୍ବରକୁ ଫୋନ କଲାମାତ୍ରେ ଏସଏମଏସ୍ ପାଇପାରିବେ । ଏହି କ୍ଷେତ୍ରରେ ଅବହେଳା କରିଥିବା ଥାନାଧିକାରୀଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଯଦି ଥାନା ଅଧିକାରୀ ଭଲ କାମ କରିବେ ତେବେ ତାଙ୍କର ପଦୋନ୍ନତି ଦିଆଯିବ ।ପ୍ରତିମାସରେ ଜିଲ୍ଲାରେ ୫ଟି ଭଲ କାମ ପାଇଁ ମୋ ସରକାର ପୁରସ୍କାର ଏବଂ ରାଜ୍ୟସ୍ତରରେ ମଧ୍ୟ ଆନ୍ତଃ ବିଭାଗୀୟ ପୁରସ୍କାର ଦିଆଯିବ ବୋଲି ବୈଠକରେ ଘୋଷଣା କରାଯାଇଛି ।

ଭିଡିଓ କନଫରେନସିଂରେ ବିଭିନ୍ନ ଜିଲ୍ଲାର ଆଇଆଇସି ମାନଙ୍କ ସହିତ ମୋ ସରକାର କାର୍ଯ୍ୟକ୍ରମର ସଫଳ ପ୍ରୟୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ସ୍ୱରାଷ୍ଟ ବିଭାଗର ପ୍ରମୁଖ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।