ରେଳ ବଜେଟ୍ ୨୦୨୦: ଓଡ଼ିଶାକୁ ମିଳିଲା ୪୩୭୩ କୋଟି

ଭୁବନେଶ୍ୱର: ୨୦୨୦ ବଜେଟରେ ଓଡ଼ିଶାକୁ ପାଇଁ ପ୍ରାୟ ୪୩୭୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗତବର୍ଷ ଓଡ଼ିଶାକୁ ୪୫୯୩ କୋଟି ମିଳିଥିଲା । ମୋଟାମୋଟି କହିବାକୁ ଗଲେ ଚଳିତ ବଜେଟରେ ସମଗ୍ର ପୂର୍ବତଟ ରେଳପଥକୁ ମୋଟ ୫୮୬୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ନୂଆ ପ୍ରକଳ୍ପଭାବେ ଏଥର ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ରେଳପଥକୁ ମଞ୍ଜୁରୀ ମିଳିଛି । ମୋଟ ୨୪୧ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ପାଇଁ ୨୯୫୭ କୋଟି ଟଙ୍କା ମଂଜୁର କରାଯାଇଛି । ନିତି ଆୟୋଗର ଚୂଡ଼ାନ୍ତ ମଞ୍ଜୁରୀ ପରେ ଏହା କାର୍ଯ୍ୟକାରୀ ହେବ । ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ରେଳପଥ ପାଇଁ ସର୍ବାଧିକ ୫୨୦ କୋଟିର ବ୍ୟୟବରାଦ କରାଯାଇଛି । ଗତ ବର୍ଷ ଏହି ପ୍ରକଳ୍ପ ପାଇଁ ୩୫୦ କୋଟିର ବ୍ୟୟବରାଦ କରାଯାଇଥିଲା ।

ସେହିପରି ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ହରିଦାସପୁର-ପାରାଦୀପ ରେଳପଥ ପାଇଁ ୧୦୦ କୋଟି, ତାଳଚେର-ବିମଳାଗଡ଼ ରେଳପଥ ପାଇଁ ୧୪୦ କୋଟି, ଜୟପୁର-ମାଲକାନଗିରି ରେଳପଥ ପାଇଁ ୩୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସେହିପରି ସମ୍ବଲପୁର-ତାଳଚେର ରେଳପଥର ଦୋହରୀକରଣ ପାଇଁ ୨୯୨ କୋଟି, ସମ୍ବଲପୁର-ଟିଟିଲାଗଡ଼ ରେଳପଥ ଦୋହରୀକରଣ ପାଇଁ ୩୮୨କୋଟି, ଟିଟିଲାଗଡ଼-ବିଜୟନଗରମ ୩ୟ ଲାଇନ ପାଇଁ ୩୮୦ କୋଟିର ବ୍ୟୟବରାଦ କରାଯାଇଛି । ସେହିପରି ଭଦ୍ରକ-ନିର୍ଗୁଣ୍ଡି ୩ୟ ଲାଇନ ପାଇଁ ୧୦୨ କୋଟି ଟଙ୍କା ଓ ବୁଢାପଙ୍କ-ଶାଳଗାଁ ୩ୟ ଲାଇନ ପାଇଁ ୨୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାରେ ରେଳବାଇ ବିଦ୍ୟୁତୀକରଣ ପାଇଁ ୧୮୦ କୋଟିର ବ୍ୟୟବରାଦ କରାଯାଇଛି।