ରାଜଧାନୀରେ ଗର୍ଜିଲେ ଶିକ୍ଷକ

ଭୁବନେଶ୍ୱର: ଶିକ୍ଷକ ଓ କର୍ମଚାରୀମାନେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆଜି ଶୁକ୍ରବାର ଦାବି ଦିବସ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜର ହଜାର ହଜାର ଶିକ୍ଷକ ଏବଂ କର୍ମଚାରୀ ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଶୋଭାଯାତ୍ରା କରିବା ସହ ସମାବେଶ କରିଥିଲେ। ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଏହି ସମାବେଶରେ ୫୦ ହଜାର ଶିକ୍ଷକ ସାମିଲ ହୋଇଥିଲେ। ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି।

୬୬୨ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି, “ଗତ ସାଧାରଣ ନିର୍ବାଚନ ସମୟରେ ରାଜ୍ୟ ସରକାର ଶିକ୍ଷକଙ୍କ ୩ଟି ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେଥିରୁ ମାତ୍ର ଗୋଟିଏ ଦାବି ପୂରଣ କଲେ। ଅନ୍ୟ ଦାବି ଗୁଡ଼ିକ ପୂରଣ କଲେ ନାହିଁ।”

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, “ଆଜି ହେଉଛି ଶିକ୍ଷକଙ୍କ ଦାବି ଦିବସ। ୧୯୬୯ ମସିହାରୁ ଏହି ଦିବସ ପାଳନ ହୋଇ ଆସୁଛି। ତେଣୁ ଆଜି ଦାବି ଦିବସ ଥିବାରୁ ଶିକ୍ଷକମାନେ ଏହି ସମାବେଶ କରିଛନ୍ତି। ତାଙ୍କର ସମସ୍ତ ଦାବି ଗୁଡ଼ିକ ସମ୍ପର୍କରେ ବିଭାଗ ଅବଗତ ରହିଛି। ସେପ୍ଟେମ୍ୱର ମାସରେ ପ୍ରତ୍ୟେକ ଶିକ୍ଷକ ସଙ୍ଗଠନକୁ ଡାକି ଆଲୋଚନା କରିବି। ଶିକ୍ଷା ବ୍ୟବସ୍ଥା କିପରି ଅଧିକ କ୍ରିୟାଶୀଳ ହୋଇପାରିବ ସେ ସମ୍ପର୍କରେ ବିଚାର ବିମର୍ଶ କରିବି।”