ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ

ଭୁବନେଶ୍ବର : ୧୨ ହଜାର ୭୬୮ କୋଟିର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ । ଆସନ୍ତା ମୌସୁମୀ ଅଧିବେଶନରେ ଏହି ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ନିର୍ବାଚନ ବର୍ଷ ହୋଇଥିବାରୁ ଘୋଷଣା ହୋଇଥିବା ସବୁ ଯୋଜନାକୁ ଆଗକୁ ନେବାକୁ  ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ତେବେ ରାଜ୍ୟର ଋଣ ଭାର ଏବେ ୯୦ ହଜାର କୋଟି ଟପି ସାରିଥିବାରୁ ଆଗକୁ କୃଷି ଋଣ ଛାଡ ଭଳି ବଡବଡ ନୂଆ ଯୋଜନା ଘୋଷଣା ସରକାର କରିବେ କି ନାହିଁ ତା ଉପରେ ନଜର ରହିଛି ।

ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟ ଉପରେ ବାଜିଲା ମୋହର । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨ ହଜାର ୭୬୮ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦକୁ ମନ୍ତ୍ରୀ ପରିଷଦ ଅନୁମୋଦନ ଦେଇଥିବା ସୂଚନା ମିଳିଛି । ସେପ୍ଟେମ୍ବର ୪ ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେସନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ତେବେ ଏଥର ଅତିରିକ୍ତ ବଜେଟରେ ସରକାର ଘୋଷଣା କରିଥିବା ନୂଆ ଯୋଜନା ପାଇଁ ଅର୍ଥ ବରାଦ ଉପରେ ଗୁରୁତ୍ବ ଦିଆଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ଆଶା କର୍ମିଙ୍କ ପାଇଁ ହୋଇଥିବା ଆର୍ଥିକ ପ୍ୟାକେଜ ଆଦି ପାଇଁ ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଥିବା ନେଇ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଏସବୁ ଯୋଜନା ପାଇଁ ଅତିରିକ୍ତ ବଜେଟରେ ବରାଦ ହୋଇଥିବା ଅର୍ଥ ପରେ ବି ଅର୍ଥ ଦରକାର ହେଲେ ଷ୍ଟେଟ ରିଜର୍ଭ ଫଣ୍ଡରୁ ଭରଣା ହେବ ବୋଲି ଅର୍ଥ ମନ୍ତ୍ରୀ ଶଶୀ ଭୁଷଣ ବେହେରା ସୂଚନା ଦେଇଛନ୍ତି ।

ତେବେ ଅର୍ଥ ବରାଦ ଅପେକ୍ଷା ଅର୍ଥ ଖର୍ଚ୍ଚ କରିବା ହିଁ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବହୁ ବିଭାଗ ଠିକ୍ ସମୟରେ ୟୁଟିଲାଇଜେସନ ସାର୍ଟିଫିକେଟ ଦେଉନଥିବାରୁ କେନ୍ଦ୍ରୀୟ ଅର୍ଥ ଯଥା ସମୟରେ ପହଁଚୁନି । ସେଥିପାଇଁ ସବୁ ବିଭାଗକୁ ତୁରନ୍ତ ୟୁସି ଦେବାକୁ ତାଗିଦ କରାଯାଇଛି । ଅର୍ଥନୀତି ବିଶେଷଜ୍ଞଙ୍କ ଯୁକ୍ତି, ଏହାକୁ ଆର୍ଥିକ ପରିଚାଳନାଗତ ବିଭ୍ରାଟ ବୋଲି କୁହାଯିବ । ସେପଟେ ଘୋଷଣା ହୋଇଥିବା ଯୋଜନାର ରୂପାୟନ ଠିକ୍ ଭାବେ ହେବ କି ନାହିଁ ତାଉପରେ ବି ସନ୍ଦେହ ରହିଛି ।  ଏହା ପରେ ବି ସରକାର ଆଉ କିଛି ସ୍କିମ୍ ଘୋଷଣା କରିପାରନ୍ତି ବୋଲି ଆକଳନ କରାଯାଉଛି । ବିଶେଷକରି କୃଷିଋଣ ଛାଡ ଭଳି ବଡ ଘୋଷଣା କରି ପାଖାପାଖି ୧୮ ହଜାର କୋଟିର ଆର୍ଥିକ ବୋଝ ଉଠାଇବାକୁ ସରକାର ଯୋଜନା କରୁଛନ୍ତି । ଏଭଳି ହେଲେ ସରକାର ଏହାକୁ କିପରି ଭରଣା  କରିବେ ତାହା ମଧ୍ୟ ବଡ ପ୍ରଶ୍ନ ।

ସାଧାରଣ ଭାବେ ବାର୍ଷିକ ବଜେଟ ପୂର୍ବରୁ ଶୀତ ଅଧିବେଶନରେ ଆସେ ଅତିରିକ୍ତ ବଜେଟ୍ । କିନ୍ତୁ ଏଥର ଓଡିଶା ସରକାର ମୌସୁମୀ ଅଧିବେଶନରୁ ଅତିରିକ୍ତ ବଜେଟ ଆଣି କାଳେ ଆଗୁଆ ନିର୍ବାଚନ ହୋଇଯିବ ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କୁହାଯାଉଛି । କାରଣ ଘୋଷଣା ହୋଇଥିବା ନୂଆ ଯୋଜନା ବାସ୍ତବରେ ତଳସ୍ତରରେ ରୂପାୟନ ହେବା ପାଇଁ ସମୟ ଦରକାର ଥିବାରୁ ଆଗୁଆ ପ୍ରସ୍ତୁତିରେ ଅଛନ୍ତି ସରକାର ।