ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ସଂଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟର ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି ।
ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁସାରେ ଶ୍ରୀମନ୍ଦିର ଢ଼ାଞ୍ଚାରେ ପରିଚାଳିତ ହେବ ଶ୍ରୀଲିଙ୍ଗରାଜ ମନ୍ଦିର। ମନ୍ଦିର ପରିଚାଳନା ଲାଗି ଏକ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅଧ୍ୟାଦେଶରେ ପରିଚାଳନା କମିଟିର ଗଠନ, ସଭ୍ୟ ସଂଖ୍ୟା, କ୍ଷମତା ପରିସର, ଦାୟିତ୍ବ ଆଦି ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି । ସେହିପରି ପୁରୀ ଶ୍ରୀମନ୍ଦିର ଭଳି ଲିିଙ୍ଗରାଜ ମନ୍ଦିରର ମଧ୍ୟ ଜଣେ ପ୍ରଶାସକ ରହିବେ । ତାଙ୍କର କ୍ଷମତା ପରିସର ସମ୍ପର୍କରେ ମଧ୍ୟ ଅଧ୍ୟାଦେଶରେ ଉଲ୍ଲେଖ ରହିଛି ।
ଏହାଛଡ଼ା ଲିଙ୍ଗରାଜ ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଓ ପରିଚାଳନା, ସେବାୟତଙ୍କ ଭୂମିକା ଓ ଦାୟିତ୍ବ, ମନ୍ଦିର ପାଣ୍ଠି ଗଠନ, ଯାତ୍ରୀ ଓ ଉପାସକଙ୍କ ସୁବିଧା ଆଦି ବିଷୟରେ ମଧ୍ୟ ଅଧ୍ୟାଦେଶରେ ବ୍ୟବସ୍ଥା ରହିଛି ।
ଗତ ୨ ତାରିଖରେ ନିଜର ଲିଙ୍ଗରାଜ ମନ୍ଦିର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଆଇନ ପ୍ରଣୟନ ସମ୍ପର୍କରେ ଘୋଷଣା କରିଥିଲେ । ଏହି ଆଇନ ଲାଗୁ ହେଲେ ଲିଙ୍ଗରାଜ ମନ୍ଦିରର ସମସ୍ତ ନୀତିକାନ୍ତି ଠାରୁ ଆରମ୍ଭ କରି ଆୟ ଓ ବ୍ୟୟ ଦାୟିତ୍ବ ମନ୍ଦିର ପ୍ରଶାସନ ନେବ। ଶ୍ରୀମନ୍ଦିର ଭଳି ଏଠାରେ ମଧ୍ୟ ଜଣେ ମୁଖ୍ୟ ପ୍ରଶାସକ ରହିବେ। ମନ୍ଦିରକୁ ସରକାରୀ ଅନୁଦାନ ନିୟମିତ ମିଳିବ। ମନ୍ଦିର ଉନ୍ନତିମୂଳକ କାମ ପାଇଁ ବିଭିନ୍ନ ସମୟରେ ତ୍ବରିତ ପଦକ୍ଷେପ ନିଆଯାଇପାରିବ।
odisha state cabinate approves lingaraj temple ordinance