ଆଜି ଆସିବ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ରାୟ

ପୁରୀ:ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କୀତ ମାମଲାରେ ଶୁଣାଣୀ ସରିଛି । ଆଜି ଶ୍ରୀମନ୍ଦିରର ସୁରକ୍ଷା ଶୃଙ୍ଖଳିତ ଦର୍ଶନ, ଉଚ୍ଛେଦ ପ୍ରକ୍ରିୟା ଓ  ସେବାପୂଜା ନେଇ ଆଜି ମଧ୍ୟବର୍ତ୍ତୀକାଳିନ ରାୟ ବା ଅନ୍ତରୀଣ ନିର୍ଦ୍ଦେଶ ଆସିବା ସମ୍ଭାବନା ରହିଛି । 

ଆଜି ଅପରାହ୍ନରେ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ତିନି ଜଣିଆ ଖଣ୍ଡପୀଠ ପୁରୀ ଶ୍ରୀମନ୍ଦିରକୁ ବିଶ୍ୱ ଐତିହ୍ୟ କରିବା ସହ ରୀତିନୀତିରେ ଓ ଅଭଡ଼ା ଯୋଜନାରେ ସଂସ୍କାର ଆଣିବା ନିମନ୍ତେ ସୁପ୍ରିମକୋର୍ଟରେ ଶୁଣାଣୀ କରି ରାୟ ଦେବେ । ବର୍ତ୍ତମାନ ସୁଦ୍ଧା ସମସ୍ତ ପ୍ରକାର ଶୁଣାଣୀ ସରିଛି ଆଜି ମଧ୍ୟବର୍ତ୍ତୀକାଳିନ ରାୟ ଆସିବ । ଶ୍ରୀମନ୍ଦିର ସୁରକ୍ଷା ଶୃଙ୍ଖଳିତ ଦର୍ଶନ ବା ଧାଡ଼ି ଦର୍ଶନ, ଶ୍ରୀମନ୍ଦିର ପରିସରରୁ ୭୫ମିଟର ଉଚ୍ଛେଦ ପ୍ରସଙ୍ଗ, ସେବାପୂଜା ଓ ଭୂସମ୍ପତି ସୁରକ୍ଷା , ଅନ୍ନଦାତା ଆଟିକା, ଦାନ ଦକ୍ଷିଣା ବନ୍ଦ ଭଳି ୧୨ଟି ପ୍ରସ୍ତାବ ନେଇ ଆଜି ପୁଣି ସୁପ୍ରିମକୋର୍ଟରେ ଆଲୋଚନା କରାଯିବ । ଏହା ପରେ ଅନ୍ତରୀଣ ନିର୍ଦ୍ଦେଶ ଆସିବ । ୭ଟି ନିଯୋଗ ପକ୍ଷରୁ ପକ୍ଷଭୁକ୍ତ ପାଇଁ ଆବେଦନ ଦାଖଲ ହୋଇସାରିଛି । 

ପୂର୍ବ ଶୁଣାଣୀ ତାରିଖରେ ରାଜ୍ୟ ସରକାରଙ୍କ ଦାଖଲ ହୋଇଥିବା ଷ୍ଟାଟସ ରିପୋର୍ଟ ଉପରେ ଆଲୋଚନା ହୋଇଥିଲା । ଆମିକସକ୍ୟୁରି ଓ ସଲିସିଟର ଜେନେରାଲ ପୁରୀ ଗସ୍ତ କରି ଉଚ୍ଛେଦ ସମ୍ପର୍କିତ ରିପୋର୍ଟ ସୁପ୍ରିମକୋର୍ଟକୁ ଅବଗତ କରିଥିଲେ । ଶ୍ରୀମନ୍ଦିର ପରିସରରୁ ୭୫ମିଟର ଚତୁପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗରେ କଣ କଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସୁପ୍ରିମକୋର୍ଟରେ ଆଲୋଚନା ହୋଇଛି । ପକ୍ଷମାନେ ନିଜ ନିଜ ପକ୍ଷ ରଖିଥିଲେ । ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟାକୁ ସବୁ ପକ୍ଷ ସମର୍ଥନ କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଉତ୍ତମମାନର ପ୍ରସାଦକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ଶ୍ରୀମନ୍ଦିରରେ ନିୟୋଜିତ ଥିବା ସେବାୟତ କିଭଳି ଠିକ ଭାବେ ଦାୟିତ୍ୱ ନିର୍ବାହ କରିବେ ଓ ଆମକସକ୍ୟୁରି ଦେଇଥିବା ରିପୋର୍ଟ ସଠିକ ଭାବେ କାର୍ଯ୍ୟକାରୀ କରିବାକୁ  ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଥିଲେ । ଏହା ଉପରେ ଆଜି ପୁଣି ଆଲୋଚନା କରାଯାଇ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ।