ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା-ବଳିଆଙ୍କୁ ଭେଟିଲେ ବିଶେଷଜ୍ଞ ଡାକ୍ତରୀ ଦଳ

ଭୁବନେଶ୍ବର : ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା-ବଳିଆଙ୍କୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଭେଟିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ, ପରିବାର କଲ୍ୟାଣ ନିର୍ଦେଶକ, ସ୍ନାୟୁରୋଗ ଓ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ଜଗା ସୁସ୍ଥ ହୋଇ ଆସୁଥିବା ବେଳେ ବଳିଆର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନାହିଁ। ବଳିଆର ଓଜନ କମ୍ ଓ ସ୍ନାୟୁଗତ ସମସ୍ୟା ରହିଛି ଓ ତାକୁ ଗ୍ୟାଷ୍ଟ୍ରୋଟୋମି ଟ୍ୟୁବ୍ ଜରିଆରେ ଖାଇବାକୁ ଦିଆଯାଉଛି। ତେଣୁ ବଳିଆକୁ ଅଧିକ ଚିକିତ୍ସାର ଆବଶ୍ୟକତା ରହିଥିବା ବିଶେଷଜ୍ଞ ଡାକ୍ତରୀ ଦଳ ପକ୍ଷରୁ ପ୍ରକାଶ।
ଉଲ୍ଲେଖ‌ଯୋଗ୍ୟ, ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଶେଷ ହୋଇଥିଲେ ହେଁ ଦିଲ୍ଲୀ ଏମ୍‌ସରେ ଚିକିତ୍ସା ଜାରି ରହିଛି। ଏମ୍‌ସ କର୍ତୃପକ୍ଷ ଦୁହିଁଙ୍କୁ ଡିସଚାର୍ଜ କରିଦେବା ପାଇଁ ବାରମ୍ବାର ଉଦ୍ୟମ କରିଛନ୍ତି। ତେବେ ସଂପୂର୍ଣ୍ଣ ସୁସ୍ଥ ହେବା ପର‌୍ୟ୍ୟନ୍ତ ଏମ୍‌ସରେ ଚିକିତ୍ସା ଜାରି ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ଅନୁରୋଧ କରାଯାଇଛି।