ଭୁବନେଶ୍ୱର: ଗୃହକାର୍ଯ୍ୟବେଳେ ଉପସ୍ଥିତ ରହିବେ ସରକାରୀ ଅଧିକାରୀ । ଆଜି ଏଭଳି ନିଷ୍ପତି ନେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ସେ କହିଛନ୍ତି, ଏଣିକି ଅଧିକାରୀମାନେ ତାଙ୍କ ବିଭାଗର ଆଲୋଚନା ବେଳେ ବିଧାନସଭାରେ ଉପସ୍ଥିତ ରହିବେ । ସମ୍ପୃକ୍ତ ଅଧିକାରୀମାନେ ସେମାନଙ୍କ ଗ୍ୟାଲେରିରେ ବସିବେ ଆଉ ଆବଶ୍ୟକ ପଡିଲେ ଅଫିସରଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବେ ମୁଖ୍ୟ ସଚିବ । ଆଜି ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।
ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଅଧିବେଶନ ଆରମ୍ଭ ହେଲା କ୍ଷଣି ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ । ବିରୋଧୀ ଦଳର ସଦସ୍ୟମାନେ ଗତକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସଦସ୍ୟମାନଙ୍କର ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସମୟର ଗଣମାଧ୍ୟମ ପ୍ରସାରଣ/ପ୍ରକାଶନ ଉପରେ ରୋକ ନେଇ ଜାରି କରିଥିବା ରୁଲିଂ ପ୍ରତ୍ୟାହାର ଦାବିରେ ଏହି ହଟ୍ଟଗୋଳ କରିଥିଲେ। ଫଳରେ ଅପରାହ୍ଣ ୩ଟା ଯାଏଁ ଗୋଟିଏ ମିନିଟ୍ ବି ଚାଲି ପାରି ନଥିଲା ଗୃହ କାର୍ଯ୍ୟ।