ଡିସେମ୍ବର ସୁଦ୍ଧା କୋରାପୁଟର ସବୁ ପଡା ଗାଁ ହେବ ରାଜସ୍ୱ ଗ୍ରାମ : ରାଜସ୍ୱ ସଚିବ

ଭୁବନେଶ୍ୱର  : କୋରାପୁଟ ଜିଲ୍ଲାର ସମସ୍ତ ପଡା ଗ୍ରାମକୁ ଡିସେମ୍ବର ମାସ ଶେଷ ସୁଦ୍ଧା ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯିବ । କୋରାପୁଟ ଗସ୍ତରେ ଆସିଥିବା ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି । ଏଥି ସହିତ ଏହା ଉପରେ କାଯ୍ୟ ତ୍ୱରାନ୍ୱିତ କରିବା ନେଇ ସମୀକ୍ଷା ମଧ୍ୟ କରିଛନ୍ତି ସଚିବ । ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଶୁକ୍ରବାର କୋରାପୁଟ ଗସ୍ତ କରିଥିଲେ । ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ କର୍ମ ନିଯୁକ୍ତି, ଜଙ୍ଗଲ ବିଭାଗ ସମେତ ରାଜସ୍ୱ ଆଦାୟ ଆଦି ବିଭିନ୍ନ ବିନ୍ଦୁ ଉପରେ କରିଛନ୍ତି ସମୀକ୍ଷା । କୋରାପୁଟ ଜିଲ୍ଲାପାଳ ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିଲେ । ଭୁବନେଶ୍ୱରରୁ ବିମାନଯୋଗେ ଆସି ଜୟପୁରରେ ଅବତରଣ କରିଥିଲେ । ଜୟପୁର ଏୟାର ଷ୍ଟ୍ରିପରୁ ସିଧାସଳଖ କୋରାପୁଟ ସଦଭାବନା ସଭା ଗୃହକୁ ଆସି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଆକାଂକ୍ଷା ଜିଲ୍ଲାର ମାନଦଣ୍ଡ ଅନୁସାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟର ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଲେ । ୫ଟି ସେକ୍ଟରରେ ଶହେଟି ଇଣ୍ଡିକେଟରରେ କାର୍ଯ୍ୟ ଆଗେଇବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ପଡା ଗ୍ରାମକୁ ଡିସେମ୍ବର ମାସ ଶେଷ ସୁଦ୍ଧା ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯିବା ଉପରେ କାର୍ଯ୍ୟ ଆରମ୍ଭ କରିବାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରାଯାଇଛି ।