କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରୁଛନ୍ତି ରାଜ୍ୟସରକାର : ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର ୧: କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣମୂଳକ ଯୋଜନାକୁ ନିଜ ନାଁ ରେ ବ୍ରାଣ୍ଡିଂ କରି ନବୀନ ସରକାର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । କେନ୍ଦ୍ର ସରକାରଙ୍କ ଏଆଇବିପି ଯୋଜନା ଅନ୍ତର୍ଗତ ୯୦% ଆର୍ଥିକ ସହାୟତାେରେ ଆଜି ଇନ୍ଦ୍ରାବତୀ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅସଲ ଧନ୍ୟବାଦର ପାତ୍ର । ମାତ୍ର ବ୍ରାଣ୍ଡିଂ ରାଜନୀତି କରୁଥିବା ନବୀନ ସରକାର ସୈାଜନମୁଳକ ଭାବେ ଏହି ସମାବେଶରେ ଥରେଟିଏ ହେଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ବିଜେପି ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ।
ଦୀର୍ଘ ୨ ଦଶନ୍ଧି ଧରି ଶାସନ କ୍ଷମତାରେ ରହିବା ସତ୍ୱେ କଳାହାଣ୍ଡି ଏବଂ ଏହାର ଆଖପାଖ ଚିତ୍ର ବାସ୍ତବରେ ନବଦଳିବା ଏବଂ ଆଜି ମଧ୍ୟ ଦାଦନ ଜିଲ୍ଲା ଭାବେ ପରିଗଣିତ ହେବା ଅତ୍ୟନ୍ତ ଲଜ୍ଜାଜନକ ।ଗତ ପଂଚାୟତ ନିର୍ବାଚନ ପୂର୍ବରୁ ବରଗଡ ଜିଲ୍ଲାରେ ରାଜ୍ୟର ସର୍ବବୃହତ ଜଳସେଚନ ପ୍ରକଳ୍ପ ଗଙ୍ଗାଧର ଜଳସେଚନ ପ୍ରକଳ୍ପର ଘୋଷଣା କରିଥିଲେ, ଯାହାକି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସେହିପରି ଆଜି କଳାହାଣ୍ଡି ମାଟିରେ ଛିଡା ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଇନ୍ଦ୍ରାବତୀ ନଦୀ ଉପରେ ପାର୍ବତିଗିରି ଜଳସେଚନ ପ୍ରକଳ୍ପ ଘୋଷଣା କରିବା ମଧ୍ୟ କେବଳ ଧୂଆଁବାଣ ହୋଇ ରହିନଯାଉ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

 ରାଜ୍ୟର ଓଡିଆ ପୁଅ ଆଜି ଦାଦନ କାହିଁକି ଖଟୁଛି ବୋଲିପ୍ରଶ୍ନ କଲେ ବିରୋଧୀ ଦଳ ଉପନେତା
 ମୁଖ୍ୟମନ୍ତ୍ରୀ କୃଷକ କିମ୍ବା କୃଷକ କଲ୍ୟାଣ ପାଇଁ ପଦୁଟିଏ ନକହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ
 ରାଜ୍ୟ ସରକାର ଏହି ବଳକା ଧାନ କିଣୁନାହାନ୍ତିକାହିଁକି?
 କେବଳ ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନା ଲାଗୁ ହୋଇଥିଲା
 ରାଜ୍ୟରେ ସାମୁଦ୍ରିକ ସଂପଦ, ଖଣିଜ ସଂପଦ, ଜଙ୍ଗଲ ସଂପଦ, ମାନବ ସମ୍ବଳ ଥାଇ ମଧ୍ୟ ଓଡିଶା ଆଜି ପଛରେ ରହିଛି
 ପଶ୍ଚିମବଙ୍ଗ ପରି ଓଡିଶାରେ ରାଜନୈତିକ ହିଂସା ଦେଖାଦେଇଛି

କୋଭିଡ୍ କଟକଣାକୁ ବାହାନା କରି ଦୀର୍ଘ ୯ ମାସରୁ ଉର୍ଦ୍ଧ୍ୱ ଏକାନ୍ତ ବାସରେ ଥିବା ମୁଖ୍ୟମନ୍ତ୍ରୀ ଆଜି କୋଭିଡ୍ କଟକଣା ବଳବତର ଥିବା ସତ୍ୱେ ଏତେ ବଡ ଜନସମାଗମ ଆୟୋଜନ କରିବା କେତେଦୂର ଯଥାର୍ଥ ?କଳାହାଣ୍ଡି ଜିଲ୍ଲା ସବୁଠାରୁ ଅଧିକ ଚାଉଳ ଯୋଗାଉଛି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି । ମାତ୍ର ବହୁ ଆଡମ୍ବର ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କୃଷକ କିମ୍ବା କୃଷକ କଲ୍ୟାଣ ପାଇଁ ପଦୁଟିଏ ନକହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ।
କେନ୍ଦ୍ର ସରକାର ଧାନ କିଣିବା ପାଇଁ ରାଜ୍ୟ ସରକାରଙ୍କୁ ୧୮୦୦୦ କୋଟି ଟଙ୍କା ଦେଇଛନ୍ତି । ପୂର୍ବ ବର୍ଷ ୧୩୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷାରେ ଧାନ ଅମଳ ମଧ୍ୟ ରେକର୍ଡ ପରିମାଣରେ ବୃଦ୍ଧି ପାଇଛି । ତାହେଲେ ରାଜ୍ୟ ସରକାର କାହିଁକି କିଣୁନାହାନ୍ତି ? ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି ।ଅଣଜଳସେଚିତ ଚାଷ ଜମିରୁ ଏକର ପ୍ରତି ସର୍ବନିମ୍ନ ୨୦ କ୍ୱିଂଟାଲ ଧାନ ଅମଳ ହେଉଥିବାବେଳେ ୧୩ କ୍ୱିଂଟାଲ ଧାନ ସଂଗ୍ରହ କରାଯାଉଛି । ସେହିପରି ଜଳସେଚିତ ଚାଷ ଜମିରୁ ଏକର ପ୍ରତି ସର୍ବନିମ୍ନ ୩୦-୪୦ କ୍ୱିଂଟାଲ ଧାନ ଅମଳ ହେଉଥିବାବେଳେ ମାତ୍ର୧୯ କ୍ୱିଂଟାଲ ଧାନ ସଂଗ୍ରହ କରାଯାଉଛି । ତାହେହେଲେ ବଳକା ଧାନ ଚାଷୀ କଣ କରିବ ? ରାଜ୍ୟ ସରକାର ଏହି ବଳକା ଧାନ କାହିଁକି କିଣୁନାହାନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।
ଅବ୍ୟବସ୍ଥିତ ଭାବେ ଟୋକନ ଦିଆଯାଉଥିବା କାରଣରୁ ଚାଷୀମାନେ ନାହିଁ ନଥିବା ହଇରାଣର ଶିକାର ହେଉଛନ୍ତି । ଧାନ ଅମଳ ହେଲାବେଳକୁ ଟୋକନ ସମୟ ସୀମା ସମାପ୍ତ ହୋଇଯାଇଥିବା କାରଣରୁ ଚାଷୀ ଧାନ ବିକ୍ରି କରିନପାରି ମଣ୍ଡିରେ ଗଦା କରି ରଖୁଛି ଏବଂ ପରବର୍ତୀ ସମୟରେ ଚାଷୀର ଆଖି ସମ୍ମୁଖରେ ତାର ଝାଳବୁହା ଉପାର୍ଜିତ ଅମଳ ନଷ୍ଟ ହୋଇଯାଉଛି । କୃଷକଙ୍କ ଏହି ସମସ୍ୟାର ସମାଧାନର ଦାୟୀତ୍ୱ କଣ ମୁଖ୍ୟମନ୍ତ୍ରୀଙ୍କର ନୁହେଁ ?ମେଡିକାଲ କଲେଜ ନିର୍ମାଣ ପାଇଁ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବାର ବାରମ୍ବାର ପ୍ରତିଶୃତି ଦେବା ସତ୍ୱେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ଏହା ସମ୍ଭବ ହୋଇପାରୁନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
କୃଷକଙ୍କ ଆର୍ଥୀକ ସ୍ତରରେ ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାକୁ ଲାଗୁ କରଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଚାଷୀଙ୍କୁ ଦିତୀୟ କିସ୍ତିର ଅର୍ଥ ଏପର୍ଯ୍ୟନ୍ତ ମିଳିଲା ନାହିଁ । କେବଳ ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନା ଲାଗୁ ହୋଇଥିଲା । ନିର୍ବାଚନ ପରେ ରାଜ୍ୟସରକାର ସବୁ ପ୍ରତିଶୃତି ଏବଂ ଯୋଜନାକୁ ଭୃଲି ଯାଆନ୍ତି । ଆଗାମୀ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଦେବା ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଏଠି ବିଜେଡି ସରକାର ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି କରିଚାଲିଛି ଏବଂ ଏହାକୁ ବିରୋଧ କଲେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରି ବିଜେପି ନେତାମାନେ ହତ୍ୟାର ଶିକାର ହେଉଛନ୍ତି । ପଶ୍ଚିମବଙ୍ଗ ପରି ଓଡିଶାରେ ରାଜନୈତିକ ହିଂସା ଦେଖାଦେଇଛି । ୨୦ବର୍ଷ ଶାସନ ପରେ ଆଜି ଲକ୍ଷ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି । ରାଜ୍ୟରେ ସାମୁଦ୍ରିକ ସଂପଦ, ଖଣିଜ ସଂପଦ, ଜଙ୍ଗଲ ସଂପଦ, ମାନବ ସମ୍ବଳ ଥାଇ ମଧ୍ୟ ଓଡିଶା ଆଜି ପଛରେ ରହିଛି । ରାଜ୍ୟସରକାର ଅସାଧୁ ମିଲର ମାନଙ୍କ ସହ ହାତ ମିଲାଇ ଚାଷୀକୂଳକୁ ପ୍ରତାରଣା କରିଚାଲିଛନ୍ତି । କଳାହାଣ୍ଡିରେ ଆଜି ମୁଖ୍ୟମନ୍ତ୍ରୀ ଚାଷୀକୂଳକୁ ଗୋଟିଏ ବି ବାର୍ତା ଦେଲେ ନାହିଁ । ରାଜ୍ୟର ଓଡିଆ ପୁଅ ଆଜି ଦାଦନ କାହିଁକି ଖଟୁଛି ନବୀନ ବାବୁ ଏହାର ଉତର ରଖନ୍ତୁ ବୋଲି ବିରୋଧୀ ଦଳ ଉପ ନେତା ଶ୍ରୀ ବିଷ୍ଣୁ ସେଠୀ ପ୍ରଶ୍ନ କରିଛନ୍ତି ।
ଏହି ଅବସରରେ ବିଧାୟକ ନାଉରୀ ନାୟକ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଓ ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।