ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତ ଯାଇ ଆଜି ପ୍ରଧାମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ସମାଜର ଗରିବ ଓ ଉପେକ୍ଷିତ ବର୍ଗର ସାଧାରଣ ଲୋକମାନେ ମାସିକ ୩ହଜାର ଟଙ୍କାର ପେନସନ୍ ପାଇପାରିବେ । ତେବେ ଏହାପରେ ଭୁବନେଶ୍ୱରଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାସହିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହି ଯୋଜନା ବିଶ୍ୱର ସବୁଠାରୁ ବଡ କଲ୍ୟାଣକାରୀ ଯୋଜନା । ଦେଶରେ ଆଜି ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଆଜିଠୁ ଦେଶରେ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନା ନାଁରେ ଭାରତ ସରକାରଙ୍କ ତରଫରୁ ଦୁନିଆର ସବୁଠୁ ବଡ ପେନସନ୍ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଅହମ୍ମଦଠାରେ ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ଭାରତବର୍ଷର ଅସଂଗଠିତ କ୍ଷେତ୍ରର ୪୨ କୋଟି ଲୋକଙ୍କ ପାଇଁ ଚିନ୍ତାର କୌଣସି ବ୍ୟବସ୍ଥା ନଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ କେବଳ ପେନସନ ଦେବାର ବ୍ୟବସ୍ଥା ଥିବାରୁ ଅବସର ପରେ ସେମାନେ ଲାଭ ପାଉଥିଲେ ମାତ୍ର ଅସଂଗଠିତ କ୍ଷେତ୍ରରେ କାର‌୍ୟ୍ୟ କରୁଥିବା ଲୋକ ଯଥା ଛୋଟ ବିକାଳୀ, ରିକ୍ସା ଚାଳକ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ସଫେଇ କାର‌୍ୟ୍ୟ, ପେଟ୍ରୋଲ ପମ୍ପରେ ତେଲ ଭରୁଥିବା କର୍ମଚାରୀ, ଗ୍ୟାସ ବିତରକରେ କାର‌୍ୟ୍ୟ କରୁଥିବା କର୍ମଚାରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ କୌଣସି ସାମାଜିକ ସୁରକ୍ଷା ମିଳିବାର ବ୍ୟବସ୍ଥା ନଥିଲା । ଭାରତ ସରକାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନାରେ ଭାରତବର୍ଷର ୪୨ କୋଟି ଲୋକଙ୍କ ପାଇଁ ଆରମ୍ଭ କରାଯାଇଛି । ଓଡିଶା ଭଳି ରାଜ୍ୟ ଏହି ଯୋଜନାରେ ଲାଭ ପାଇବ । ଓଡିଶାର ଅଢେଇ କୋଟି କାର‌୍ୟ୍ୟ କରୁଥିବା ଲୋକମାନଙ୍କ ମଧ୍ୟରୁ ୨ କୋଟି ଲୋକ ଅସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି । ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାବେଳେ ନରେନ୍ଦ୍ର ମୋଦି ଏଭଳି ଏକ ବ୍ୟବସ୍ଥା କରିଛନ୍ତି । ଏହି ଯୋଜନାରେ ୧୮ରୁ ୪୦ ବର୍ଷ ପର‌୍ୟ୍ୟନ୍ତ ଲୋକ ଏହି ପେନସନ୍ ଯୋଜନାରେ ଯୋଗଦେଇପାରିବେ । ୧୮ ବର୍ଷର ପିଲା ୫୫ ଟଙ୍କା ଦେଲେ, ୪୦ ବର୍ଷର ଲୋକ ୨୦୦ ଟଙ୍କା ମାସକୁ ଦେବ । ଯେତିକି ଟଙ୍କା ବ୍ୟକ୍ତି ଦେବ, ସେତିକି ଟଙ୍କା ଭାରତ ସରକାର ଦିଲ୍ଲୀରୁ ପଠାଇବେ । ଏହି ଯୋଜନାରେ ବ୍ୟକ୍ତିଜଣକ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତିର ମଧ୍ୟ ଲାଭାର୍ଥୀ ହେବ । ଭାରତବର୍ଷରେ ପ୍ରଥମ ଥର ୬୦ ବର୍ଷ ପରେ ବ୍ୟାଙ୍କ ଖାତାକୁ ସିଧାସଳଖ ୩ ହଜାର ଟଙ୍କା ପେନସନ୍ ବ୍ୟବସ୍ଥା ଆଜି ଠାରୁ ଲାଗୁ ହେଲା ବୋଲି ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଶେଷକରି ନିମ୍ନ ଶ୍ରେଣୀର ଲୋକଙ୍କ ପାଇଁ ଏହି ବ୍ୟବସ୍ଥା ପହଁଚାଇବାକୁ ପଡିବ ଏବଂ ଏଥିରେ ଭାରତବର୍ଷରେ ଖୋଲାଯାଇଥିବା ୩ ଲକ୍ଷ ୧୫ ହଜାର କମନ୍ ସର୍ଭିସ୍ ସେଂଟର ସହାୟକ ହେବ । ଓଡିଶାରେ ୧୯ ହଜାର କମନ୍ ସର୍ଭିସ୍ ସେଂଟର ଖୋଲାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନା ପାଇଁ ଆବଶ୍ୟକ ହେଉଥିବା ଦସ୍ତାବିଜ ଯଥା ଆଧାରକାର୍ଡ ଦେଇ ଶ୍ରମୟୋଗୀ ଯୋଜନାର କାର୍ଡ କରିପାରିବେ । ୫ ରୁ ୧୦ ମିନିଟରେ ଏହି କାମ ହୋଇପାରିବ । ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନାରେ ଦେଶରେ ୬ ଲକ୍ଷରୁ ଉଦ୍ଧ୍ୱର୍ ଓ ଓଡିଶାର ୩୦ ହଜାରରୁ ଅଧିକ ଭାଇ ଭଉଣୀମାନେ ଏହି କାର‌୍ୟ୍ୟକ୍ରମରେ ଯୋଡିହୋଇସାରିଲେଣି । ଓଡିଶାରେ ୨୪ ହଜାର କାର୍ଡ ତିଆରି ସରିଲାଣି । ମାତ୍ର ଏଥିପାଇଁ ଓଡିଶା ସରକାରଙ୍କ ସହଯୋଗ ମିଳୁନାହିଁ । ବିଶେଷତଃ ନିର୍ମାଣ ଶ୍ରମିକ, ଉଠା ଦୋକାନୀ, ଦିନ ମଜୁରିଆମାନେ ଏହି ଯୋଜନାରେ ଲାଭ ପାଇବେ । ଓଡିଶା ସରକାରଙ୍କ କୌଣସି ଯୋଜନାରେ ମାସିକ ୩ ହଜାର ଟଙ୍କା ପେନସନ୍ ମିଳିବାର କୌଣସି ବ୍ୟବସ୍ଥା ନାହିଁ । କିନ୍ତୁ ରାଜ୍ୟ ସରକାର ଏଥିରେ ସହଯୋଗ କରୁନାହାନ୍ତି । ଲୋକଙ୍କୁ କମନ୍ ସର୍ଭିସ ସେଂଟରକୁ ଯିବାକୁ ବିରୋଧ କରାଯାଉଛିା ଜିଲ୍ଲାପାଳମାନେ ମଧ୍ୟ ଏଥିପାଇଁ ଯେଉଁ ଦାୟିତ୍ୱ ନେବାକଥା ତାହା ନେଉନାହାନ୍ତି ।ପ୍ରଧାନ ଓଡିଶାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଏହି ଯୋଜନାରେ ସହଯୋଗ କରିବା ପାଇଁ ଅନୁରୋଧ କରିିଛନ୍ତି । ସେ ଆହୁରି କହିଛନ୍ତି ଯେ ଓଡିଶା ଭଳି ରାଜ୍ୟରେ ମୋଦୀ ସରକାର ଗରିବ ଲୋକଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା, ଶୌଚାଳୟ ନିର୍ମାଣ, କିଷାନ ସମ୍ମାନ ନିଧି ଯୋଜନା ଓ ଆଜି ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ରାଜନୈତିକ ଚାପର ବଶବର୍ତୀ ହୋଇ ଗରିବ ଓଡିଆ ଲୋକମାନଙ୍କ ଉପରେ ଓଡିଶାର ପ୍ରଶାସନିକ ଅଧିକାରୀମାନେ ଦାଉ ସାଜୁଛନ୍ତି । ଓଡିଆ ଲୋକମାନଙ୍କ କର ଖଜଣାରେ ଅଧିକାରୀ ମାନଙ୍କୁ ଦରମା ମିଳୁଛି । ଗତ ୨୦ ବର୍ଷ ତଳେ ଓଡିଶାରେ ଋଣ ଭାର ୧୮ ହଜାର ଟଙ୍କା ଥିବା ବେଳେ ଆଜି ହଜାର ହଜାର କୋଟି ଟଙ୍କା ଋଣଭାର ହେଲାଣି । ୧୯ ବର୍ଷର ତଥାକଥିତ ସୁଶାସନର ପରିଣାମ ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ଋଣଭାଣ ଓଡିଆ ଲୋକଙ୍କ ଉପରେ ପଡିଲାଣି । ଏ ସମୟରେ ଯଦି ନରେନ୍ଦ୍ର ମୋଦି ଓଡିଆ ଲୋକଙ୍କ ପାଇଁ ସରକାରୀ ଯୋଜନାରେ ବିଜୁଳି, ଗ୍ୟାସ, ଶୌଚାଳୟ, ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟର ସହଯୋଗ, ବାର୍ଷିକ ଚାଷୀଙ୍କୁ ୬ ହଜାର ଟଙ୍କା ବ୍ୟବସ୍ଥା, ୬୦ ବର୍ଷରୁ ଉଦ୍ଧ୍ୱର୍ ଲୋକକୁ ପେନସନର ସବୁ ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି ତା ହେଲେ ଓଡିଶାର ପ୍ରଶାସନିକ ଅଧିକାରୀମାନେ ସହଯୋଗ ଭୂମିକା ନିର୍ବାହ କରିବା ଦରକାର । ରାଜନୈତିକ ତା ଜାଗାରେ ରହିବା ଉଚିତ । ଲୋକଙ୍କ କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ ଅଛି । ଏହି ଦାୟିତ୍ୱକୁ ନଭୁଲି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନର ସେବା ହିଁ ନାରାୟଣ ସେବା ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଆ ଲୋକଙ୍କୁ ସୁବିଧା ସୁଯୋଗ ଦେବା ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।