ଫେସବୁକରେ ଅଯୋଧ୍ୟାକୁ ନେଇ ଉତ୍ତେଜକ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ ହେବ : ଓଡ଼ିଶା ପୁଲିସ

ଭୁବନେଶ୍ୱର: ସୁପ୍ରିମକୋର୍ଟର ଅଯୋଧ୍ୟାକୁ ନେଇ ରାୟ ପ୍ରକାଶ ପରେ ସଜାଗ ହୋଇଯାଇଛି ଓଡ଼ିଶା ପୁଲିସ | ଯଦି କେହି ଫେସବୁକ ବା ଟ୍ୱିଟରରେ ଉତ୍ତେଜକ ପୋଷ୍ଟ କରନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ବିକେ ଶର୍ମା କହିଛନ୍ତି | ଅଯୋଧ୍ୟା ରାୟକୁ ନେଇ ଡିଜିପି ବିକେ ଶର୍ମା ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି | ଉତ୍ତେଜକ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି | ଶାନ୍ତିଶୃଙ୍ଖଳା ଓ ସଦଭାବନା ବଜାୟ ରଖିବାକୁ ପୁଲିସ ସଜାଗ ଥିବା ସହ ଓଡ଼ିଶା ପୁଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଛି |

ସମ୍ବେଦନଶୀଳ ଜିଲ୍ଲାରେ ପର୍ଯ୍ୟାପ୍ତ ପୁଲିସ ମୁତୟନ ଥିବା ସହ ସ୍ଥିତି ଉପରେ ନଜର ରଖିବାକୁ ସବୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି |ଶାନ୍ତି ବଜାୟ ପାଇଁ ବିଭିନ୍ନ ଧାର୍ମିକ ନେତାଙ୍କ ସହ ଆଲୋଚନା ହୋଇଥିବା ବେଳେ ମୋବାଇଲ ପାଟ୍ରୋଲିଙ୍ଗଙ୍କୁ କଡାକଡି କରାଯାଇଛି |

ସୋସିଆଲ ମିଡ଼ିଆ ଉପରେ କଡା ନଜର ରଖାଯାଇଛି, ଯେପରିକି ଉତ୍ତେଜନାମୂଳକ ଟ୍ୱିଟ କିମ୍ବା ପୋଷ୍ଟ ଦ୍ୱାରା ହିଂସା ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ରଖାଯାଇଛି | ଏଠାରେ ସୂଚନା ଥାଉ କି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶାନ୍ତି ଓ ସଦଭାବନା ବଜାୟ ରଖିବାକୁ ଅପିଲ କରିଥିଲେ |