ଯୁକ୍ତଦୁଇ ପରୀକ୍ଷାରେ ସଂସ୍କାର : କପି ରୋକିବାକୁ ସୁପର୍ ସ୍କ୍ୱାଡ

ଭୁବନେଶ୍ୱର : ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାରେ ହେବ ବ୍ୟାପକ ସଂସ୍କାର । ପୂର୍ବବର୍ଷ ଗୁଡ଼ିକରେ ପରୀକ୍ଷାକୁ ନେଇ ବିଭିନ୍ନ ସମସ୍ୟା ଲାଗିରହୁଥିବା ବେଳେ ଆସନ୍ତା ବର୍ଷ ଯେପରି କୌଣସି ସମସ୍ୟା ରହିବ ନାହିଁ, ସେ ଦିଗରେ ବ୍ୟାପକ ବ୍ୟବସ୍ଥା କରାଯିବ । ଏନେଇ +୨ ପରିଷଦରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇତି ମଧ୍ୟରେ ଫର୍ମପୂରଣ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଗକୁ ଆଡମିଟ୍ କାର୍ଡ ପ୍ରଦାନ, ହବ୍କେନ୍ଦ୍ର ଚୟନ, ଧାର୍ଯ୍ୟ ହୋଇଥିବା ପରୀକ୍ଷାକେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ଯାଞ୍ଚ, ସିସି କ୍ୟାମେରା ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ପ୍ରଶ୍ନପତ୍ର ସୁରକ୍ଷା, ଉତ୍ତରଖାତାର ପ୍ୟାକେଟିଂ, ଇ-ଭାଲ୍ୟୁଏସନ୍ରେ ସ୍ୱଚ୍ଛତା, ନିର୍ଦ୍ଧାରିତ ସମୟ ମଧ୍ୟରେ ମୂଲ୍ୟାଙ୍କନ ପ୍ରକ୍ରିୟା ଶେଷ କରିବା, ରେଜଲ୍ଟ ପ୍ରକାଶ ଏବଂ ରେଜଲ୍ଟ ପ୍ରକାଶର ଏକମାସ ମଧ୍ୟରେ ପୁନଃଯାଞ୍ଚ ପ୍ରକ୍ରିୟା ଯେପରି କୌଣସି ତ୍ରୁଟି ବିନା ହୋଇପାରିବ ସେ ଦିଗରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।

ପରିଷଦର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଚଳିତବର୍ଷ ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ଇ-ମୁଲ୍ୟାଙ୍କନ ଲାଗି ଟେଣ୍ଡର ପ୍ରକ୍ରିୟା କରାଯିବ । ତେବେ ଗତ କିଛି ବର୍ଷ ହେବ ଇ-ମୂଲ୍ୟାଙ୍କନ ଲାଗି ଟେଣ୍ଡର ବ୍ୟବସ୍ଥାରେ ବହୁ ଅଭିଯୋଗ ହେଉଛି । ପୂର୍ବରୁ ଯେଉଁ ଅଧିକାରୀମାନେ ନିଯୁକ୍ତି ପାଇଥିଲେ ସେମାନେ ପ୍ରିୟାପ୍ରିତୀ କରି ଏକ ନିର୍ଦ୍ଦିଷ୍ଟ ଆଇଟି କମ୍ପାନୀକୁ ଇ-ମୂଲ୍ୟାଙ୍କନ ଲାଗି କାର୍ଯ୍ୟାଦେଶ ଦେଇଥିଲେ । ତେବେ ଯେଉଁ ଆଇଟି କମ୍ପାନୀ କୋଟିକୋଟି ଟଙ୍କାର ଟେଣ୍ଡର ପାଉଛି ସେହି କମ୍ପାନୀ ରେଜଲ୍ଟରେ ‘ଜିରୋ ଏରର’ କରିବାକୁ ପ୍ରତିଶ୍ରୂୁତି ଦେଉଥିଲେ ହେଁ ପ୍ରତିବର୍ଷ ରେଜଲ୍ଟରେ ବହୁ ତ୍ରୁଟି ପରିଲକ୍ଷିତ ହେଉଛି ।

ଏପରି ସମସ୍ୟା ଗୁଡ଼ିକର ସମାଧାନ ଲାଗି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ । ସେହିପରି କପି ରୋକିବା ଦିଗରେ ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକର ଏଣ୍ଟଣ୍ଟ ପ୍ରଶ୍ନପତ୍ର ଗ୍ରହଣ କରିବା ଏବଂ ଉତ୍ତରଖାତା ପ୍ୟାକିଂ କରି ହବ୍ କେନ୍ଦ୍ରକୁ ପଠାଇବାର ମୁଖ୍ୟ ଦାୟିତ୍ୱ ବହନ କରିବେ । ଏହାବ୍ୟତୀତ ଚଳିତବର୍ଷ ପରିଷଦ ପକ୍ଷରୁ ୮ଟି ସୁପର ସ୍କ୍ୱାଡ ଗଠନ କରାଯିବ । ଯେଉଁଥିରେ ପରିଷଦର କିଛି ସ୍ୱତନ୍ତ୍ର ଅଧିକାରୀ ରହିବେ । ଯଦି କୌଣସି ପରୀକ୍ଷାକେନ୍ଦ୍ରରେ କିଛି ବ୍ୟତିକ୍ରମ ନଜରକୁ ଆସେ ତେବେ ‘ଅନ୍ ଦି ସ୍ପଟ୍’ ଆକ୍ସନ୍ ନିଆଯିବ ବୋଲି ଜଣାପଡ଼ିଛି । ପ୍ରକାଶଥାଉକି, ଆସନ୍ତା ମାର୍ଚ୍ଚ ୭ତାରିଖରୁ ପରୀକ୍ଷା ଆରମ୍ଭ ହେବ ।

ପ୍ରାକ୍ଟିକାଲ ଜାନୁଆରୀ ୨୮ରୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଥିଓରୀ ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ୩୦ରେ ଶେଷ ହେବ । ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦମୂଳକ ପାଠ୍ୟକ୍ରମରେ ମୋଟ ୩ଲକ୍ଷ ୬୮ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି । ଏଥିରୁ କଳାରେ ମୋଟ ୨ଲକ୍ଷ ୩୫ହଜାର ଛାତ୍ରଛାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧ଲକ୍ଷ ୯୯ହଜାର ରେଗୁଲାର ଅନ୍ତର୍ଭୁକ୍ତ । ବିଜ୍ଞାନରେ ମୋଟ ୯୯ହଜାର ଛାତ୍ରଛାତ୍ରୀ ଥିବାବେଳେ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୮୮ହଜାର ରହିଛି । ବାଣିଜ୍ୟରେ ମୋଟ ୨୭ହଜାର ପରୀକ୍ଷାର୍ଥୀ ରହିଥିବା ବେଳେ ସେଥିରୁ ରେଗୁଲାର ପିଲାଙ୍କ ସଂଖ୍ୟା ୨୪ହଜାର ୫୦୦ । ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ପ୍ରାୟ ୧୩ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସ୍ପଷ୍ଟ ହୋଇଛି ।