‘ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍’ ବିଷୟବସ୍ତୁକୁ ନେଇ ଓଡ଼ିଶା ମଣ୍ଡପ ପ୍ରସ୍ତୁତ
ଭୁବନେଶ୍ୱର : ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଭାରତ ଅନ୍ତର୍ଜାତୀୟ ବ୍ୟବସାୟ ମେଳା ଉଦ୍ଘାଟିତ ହୋଇଯାଇଛି । ଏହି ମେଳାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍ଘାଟନ କରିଥିଲେ । ଏଥିରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ମାନସରଞ୍ଜନ ମଙ୍ଗରାଜ, ରେସିଡେଣ୍ଟ କମିଶନର ସଞ୍ଜୀବ କୁମାର ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗ କମିଶନର ତଥା ସଚିବ ସଞ୍ଜୟ କୁମାର ସିଂହ ଓ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଅତିଥିଭାବେ ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାର ଆକର୍ଷଣୀୟ ମଣ୍ଡପ ସ୍ଥାନ ପାଇଛି । ମଣ୍ଡପରେ ଓଡ଼ିଶାର ଶିଳ୍ପାନୁକୂଳ ବାତାବରଣ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ସହଜ ଓ ସରଳ ବ୍ୟବସ୍ଥା, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା, ବ୍ୟବସ୍ଥା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆନ୍ତରିକ ସହଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ।
ଏହି ବାଣିଜ୍ୟ ମେଳାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ନୋଡାଲ ବିଭାଗଭାବେ ଅଂଶଗ୍ରହଣ କରିଥିବାବେଳେ ଇପିକଲ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ସହଯୋଗୀ ବିଭାଗ ଭାବେ ଯୋଗ ଦେଇଛନ୍ତି । ଏହାବ୍ୟତିତ ଉକ୍ରଳିକା ଓ ବୟନିକା ମାଧ୍ୟମରେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରଚାରପ୍ରସାର ପାଇଁ ୨ଟି ଷ୍ଟଲ ଏବଂ ଓଡ଼ିଶାର ଆଦିବାସୀ ଅଞ୍ଚଳରେ ପ୍ରସ୍ତୁତ ସୂତା କପଡ଼ା ଓ ଓଡ଼ିଶାର ତାରକସି କାମର ୨ଟି ଷ୍ଟଲ ଏହିପରି ୪ଟି ଷ୍ଟଲ ଆଇଟିପିଓ ପକ୍ଷରୁ ସ୍ଥାନ ପାଇଛି । ଏହାସହିତ ଓଡ଼ିଶାର ବଛାବଛା ୭ଟି ସାଂସ୍କୃତିକ ଦଳ ପକ୍ଷରୁ ଆସନ୍ତା ୨୧ତାରିଖରେ ପ୍ରଗତି ମଇଦାନର ହଂସଧ୍ୱନି ଥିଏଟରରେ ଓଡ଼ିଶା ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଚଳିତବର୍ଷ ‘ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍’ ବିଷୟବସ୍ତୁକୁ ନେଇ ଓଡ଼ିଶା ମଣ୍ଡପ ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ଭରପୂର ବ୍ୟବସାୟିକ ଭିତ୍ତିଭୂମିର ପ୍ରକୃତ ମୂଲ୍ୟାୟନ ଓ ସଦୁପଯୋଗ କରି ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଆଜି ସମଗ୍ର ଭାରତବର୍ଷର ଦୃଷ୍ଟି ଆକର୍ଷଣ କରିପାରିଛି ।