ସହର ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ ଓଡ଼ିଶା ଏକ ନମ୍ବର

ସ୍ବେଚ୍ଛାସେବୀ ସଂଗଠନ ପ୍ରଜା ଫାଉଣ୍ଡେସନର ସର୍ଭେ

ଭୁବନେଶ୍ବର: ସହର ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ ଏକ ନମ୍ବର ସ୍ଥାନରେଓଡିଶା । ସ୍ବେଚ୍ଛାସେବୀ ସଂଗଠନ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ଆଗରେ ରହିଛି । ଦେଶର ବଛା ବଛା ୪୦ଟି ସହର ଓ ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୩ ବର୍ଷ ଧରି ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଥିଲା ।

ସହର ପ୍ରଶାସନକୁ ସଶକ୍ତ କରିବା, ନାଗରିକ ସଶକ୍ତିକରଣ ଓ ଆର୍ଥିକ ସଶକ୍ତୀକରଣ ଭଳି ବିଭିନ୍ନ ପ୍ରସଙ୍ଗ ଆଧାରରେ ରାଜ୍ୟଗୁଡିକର ଏଭଳି ରିପୋର୍ଟକାର୍ଡ ପ୍ରକାଶ ପାଇଛି । ଓଡ଼ିଶା ୫୬ ଦଶମିକ ୮୬ ପ୍ରତିଶତ ଅଙ୍କ ସହ ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ୫୫ ଦଶମିକ ୧୫ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି।
ଏହି ରିପୋର୍ଟ କାର୍ଡରେ ଛତିଶଗଡ ତୃତୀୟ, କେରଳ ଚତୁର୍ଥ ଓ ମଧ୍ୟପ୍ରଦେଶ ପଞ୍ଚମ ସ୍ଥାନରେ ଅଛି । ତେବେ ସାମଗ୍ରିକଭାବେ ଦେଖିଲେ କୌଣସି ରାଜ୍ୟ ୫୭ ପ୍ରତିଶତରୁ ଅଧିକ ସ୍କୋର କରିନାହାନ୍ତି । ତେଣୁ ସହରୀ ଶାସନରେ ସଂସ୍କାର ଓ ସଶକ୍ତିକରଣର ଆବଶ୍ୟକତା ରହିଛି ବୋଲି ପ୍ରଜା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ଏହି ସର୍ଭେରେ ୨୦ରୁ କମ ସ୍କୋର ରଖିଥିବା ରାଜ୍ୟଗୁଡିକ ହେଲା ଝାଡଖଣ୍ଡ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର ଓ ନାଗାଲାଣ୍ଡ ।