ଓଡ଼ିଶା-ମୋ ପରିବାରର ସହାୟତାରେ କନ୍ଦୁକୁର, ତେଲେଙ୍ଗାନାର ଏକ ଇଟାଭାଟିରୁ ୪ ଦାଦନ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲାର ୪ଜଣ ଓଡ଼ିଆ ଶ୍ରମିକଙ୍କୁ ତେଲେଙ୍ଗାନାର ଏକ ଇଟାଭାଟିରେ ଅଟକ ରଖି ଜୋରଜବରଦସ୍ତ ସେମାନଙ୍କୁ କାମରେ ଲଗାଉଥିବା ଏକ ଠିକାଦାର କବଳରୁ ଓଡ଼ିଶା-ମୋ ପରିବାର ଉଦ୍ଧାର କରି ସେମାନଙ୍କ ଗ୍ରାମକୁ ଫେରାଇଆଣିଛି ।

ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବାବୁପାଲି ଗ୍ରାମର ୪ଜଣ ଓଡ଼ିଆ ଶ୍ରମିକ କାମ କରିବା ଉଦ୍ଦେଶ୍ୟରେ ତେଲେଙ୍ଗାନା ଯାଇଥିଲେ । ସେମାନେ ହେଲେ ତ୍ରିନାଥ ସୁନା, ତିଳୋତମା ସୁନା, ହିତ ନନ୍ଦ, ସରସ୍ୱତୀ ମହାନନ୍ଦ । ସେମାନେ ତେଲେଙ୍ଗାନାର ରାଙ୍ଗାରେଡ୍ଡୀ ଜିଲ୍ଲା ଅନ୍ତର୍ଗତ କନ୍ଦୁକୁର ଗ୍ରାମର ଏକ ଇଟାଭାଟିରେ ସେମାନେ କାମ କରୁଥିଲେ ଏବଂ ସେଠାରେ ଫସି ରହିଥିଲେ । ତେବେ ଏ ସମ୍ପର୍କରେ ଶ୍ରୀ ତୁଳାରାମ ସୁନା ନାମକ ଜଣେ ବ୍ୟକ୍ତି ମୋ ପରିବାରର ହେଲ୍ପ ଲାଇନ୍ ନମ୍ବର ମାଧ୍ୟମରେ ଆମକୁ ଜଣାଇଥିଲେ । ଏହାପରେ ତୁରନ୍ତ ଏହି ଘଟଣା ସମ୍ପର୍କରେ ଓଡ଼ିଶା-ମୋ ପରିବାରର ଆବାହକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକଙ୍କୁ ଅବଗତ କରାଯାଇଥିଲା । ଶ୍ରୀ ପଟ୍ଟନାୟକ ଘଟଣା ବିଷୟରେ ଜାଣିବା ପରେ ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ଆନ୍ଧ୍ରପ୍ରଦେଶର ପୂର୍ବତନ ଡି.ଜି.ପି ଶ୍ରୀଯୁକ୍ତ ଏସ୍‌.ଏ.ହୁଡ୍ଡାଙ୍କୁ ଅବଗତ କରାଇଥିଲେ ।ଶ୍ରୀ ହୁଡ୍ଡା ଘଟଣା ସମ୍ପର୍କରେ ତେଲେଙ୍ଗାନା ଅତିରିକ୍ତ ଡି.ଜି ଶ୍ରୀ ଜିତେନ୍ଦ୍ର କୁମାରଙ୍କୁ ଅବଗତ କରାଇ ତୁରନ୍ତ କରାଇ ତୁରନ୍ତ ତଦନ୍ତ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ ।

ଏହାପରେ କନ୍ଦୁକୁର ଏସ୍‌.ଏଚ୍‌.ଓ ଇଟାଭାଟିରେ ପହଂଚି ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ କନ୍ଦୁକୁର ଥାନାକୁ ନେଇ ଯାଇଥିଲେ ଏବଂ ସମ୍ପୃକ୍ତ ଇଟାଭାଟିର ମାଲିକକୁ ସେମାନଙ୍କୁ ନିଜ ଘରକୁ ପଠାଇବାର ସମସ୍ତ ବନ୍ଦୋବସ୍ତ କରିବାକୁ କହିଥିଲେ । ଫେବୃଆରି ୧୮ରେ ଶ୍ରମିକମାନେ ଟ୍ରେନ୍ ମାଧ୍ୟମରେ ପ୍ରଥମେ ସିକେନ୍ଦରାବାଦରୁ ବରପାଲି ଆସିଥିଲେ ଓ ପରେ ବରପାଲିରୁ ସୁବର୍ଣ୍ଣପୁର ଅନ୍ୟଏକ ଟ୍ରେନ୍ ମାଧ୍ୟମରେ ଆସି ୧୯ ତାରିଖରେ ସୁବର୍ଣ୍ଣପୁରରେ ପହଂଚି ନିଜ ନିଜ ଘରକୁ ପ୍ରତ୍ୟାବର୍ତନ କରିଥିଲେ । ଉଦ୍ଧାର ହୋଇ ଆସିଥିବା ଶ୍ରମିକମାନେ ଓଡ଼ିଶା-ମୋ ପରିବାରର ଏଭଳି ସହଯୋଗ ଓ ବଦାନ୍ୟତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ମୋ ପରିବାରର ସଦସ୍ୟଙ୍କ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଥିଲେ ।