ଜେଇଇ (ମେନ୍) ପରୀକ୍ଷାର୍ଥୀଙ୍କ ପାଇଁ ଓଡିଶା-ମୋ ପରିବାରର ‘ହେଲ୍ପ ଡେସ୍କ’ ସ୍ଥାପନ

ଭୁବନେଶ୍ୱର :  କରୋନା ମହାମାରୀ ଏବଂ ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ସମସ୍ତ ପ୍ରକାର କୋଭିଡ୍ ନିୟମ ଅନୁପାଳନ କରି ବି.ଇ/ବି.ଟେକ, ବି.ଆର୍କିଟେକ, ବି.ପ୍ଲାନିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ସାରା ଦେଶରେ ଜେଇଇ (ମେନ୍) ପରୀକ୍ଷା ଆରମ୍ଭ ହୋଇଛି । ଆସନ୍ତା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତଥର ଅପେକ୍ଷା ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ାଇ ଦିଆଯାଇଛି । ଚଳିତ ବର୍ଷ ଓଡ଼ିଶାରୁ ୩୮ହଜାର ୨୩୬ ଜଣ ଛାତ୍ରଛାତ୍ରୀ ଜେଇଇ (ମେନ୍‌) ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି | ରାଜଧାନୀ ଭୁବନେଶ୍ୱରରେ ୬ଟି ପରୀକ୍ଷା କେନ୍ଦ୍ରର ଆୟୋଜନ କରାଯାଇଥିବା ବେଳେ ବ୍ରହ୍ମପୁର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳ ସହରରେ ବାକି ୨୦ଟି କେନ୍ଦ୍ର ହୋଇଛି । ତେବେ ରାଜ୍ୟରେ ବନ୍ୟା ଏବଂ କରୋନାର ଭୟାବହ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡିଶା-ମୋ ପରିବାର ପରୀକ୍ଷାର୍ଥୀଙ୍କୁ ସହାୟତା କରିବ |

ଏହି ସମସ୍ତ ପରୀକ୍ଷା କେନ୍ଦ୍ରରେ ଓଡିଶା-ମୋ ପରିବାର ତରଫରୁ ସ୍ବତନ୍ତ୍ର ‘ହେଲ୍ପ ଡେସ୍କ’ ର ବ୍ୟବସ୍ଥା କରାଯାଇ ଛାତ୍ରଛାତ୍ରୀମାନଙ୍କ ଲାଗି ପାଣି ବୋତଲ, ସାନିଟାଇଜର୍ ଏବଂ ଜଳଖିଆର ବ୍ୟବସ୍ଥା କରାଯିବା ସହ କୌଣସି ଛାତ୍ରଛାତ୍ରୀ ଯଦି ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ତାଙ୍କୁ ଯାତାୟତ ସୁବିଧା ଯୋଗାଇ ଦେଇ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି | ଆଜି ଭୁବନେଶ୍ବରର ପରୀକ୍ଷା କେନ୍ଦ୍ରରେ ଓଡିଶା-ମୋ ପରିବାରର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ, ସଦସ୍ୟ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ଶ୍ରୀ ସୁବାଷ ପାତ୍ର, ଶ୍ରୀ ଦୁର୍ଗା ସାମନ୍ତରାୟ  ଏବଂ ସଦସ୍ୟା ମୀରା ପରିଡା ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉସ୍ଥାହିତ କରିବା ସହ ଓଡିଶା-ମୋ ପରିବାରର ସ୍ବେଚ୍ଛାସେବୀମାନେ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ ଏବଂ ଆଜି ଭୁବନେଶ୍ବର ସ୍ଥିତ ପରୀକ୍ଷା କେନ୍ଦ୍ର ଗୁଡିକରେ ପାଖାପାଖି ୧୭୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ |

କଟକରେ ପ୍ରାୟ ୪୦୦ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରୀପାଠୀ, ଚଦ୍ବାର ବିଧାୟକ ଶ୍ରୀ ସୌଭିକ୍ ବିଶ୍ବାଳ, ଚୌଦ୍ବାର ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉସ୍ଥାହିତ କରିଥିଲେ | ବ୍ରହ୍ମପୁରରେ ପ୍ରାୟ ୨୫୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ପୋଲସରା ବିଧାୟକ ଶ୍ରୀ ଶ୍ରିକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉସ୍ଥାହିତ କରିଥିଲେ |

ଢେଙ୍କାନାଳରେ ପ୍ରାୟ ୧୨୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ବିଧାୟକ ତଥା ଓଡିଶା-ମୋ ପରିବାର ସଦସ୍ୟ ଶ୍ରୀ ସୁଧୀର କୁମାର ସାମଲ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉସ୍ଥାହିତ କରିଥିଲେ | ରାଉରକେଲାରେ ପ୍ରାୟ ୩୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଓଡିଶା-ମୋ ପରିବାର ସଦସ୍ୟା ଶ୍ରୀମତୀ ସୁନୀତା ବିଶ୍ବାଳ, ସମ୍ବଲପୁର ବିଜେଡି ମହିଳା ନିରୀକ୍ଷକ ଶ୍ରୀମତୀ ମିନତୀ ଦେବତା, ପୂର୍ବତନ ମ୍ୟୁନିସିପାଲଟି ଚେୟାରମ୍ୟାନ ଶ୍ରୀମତୀ ରଶ୍ମିବାଳା ମିଶ୍ର ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉସ୍ଥାହିତ କରିଥିଲେ ଏବଂ ଶ୍ରୀ କୁନ ବିହାରୀ ଦାସଙ୍କର ତତ୍ବାବଧାନରେ ସହାୟତା କେନ୍ଦ୍ର ପରିଚାଳନା ହୋଇଥିଲା | ସମ୍ବଲପୁରରେ ପ୍ରାୟ ୪୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସମ୍ବଲରପୁର ଜିଲ୍ଲା ବିଜେଡି ସଭାପତି ଶ୍ରୀ ସିଦ୍ଧାର୍ଥ ଦାସ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉସ୍ଥାହିତ କରିଥିଲେ ସେହିପରି ବାଲେଶ୍ବରରେ ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପ୍ରବଳ ବର୍ଷା ସତ୍ବେ ଶ୍ରୀ ଆର.କେ ଜେନାଙ୍କର ତତ୍ବାବଧାନରେ ଏବଂ ଓଡିଶା-ମୋ ପରିବାରର ସ୍ବେଚ୍ଛାସେବୀଙ୍କ ଉପସ୍ଥିତିରେ ସୈରୁଲ୍ ହକ୍ ସହାୟତା କେନ୍ଦ୍ରର ପରିଚାଳନା କରିଥିଲେ |  ଓଡିଶା-ମୋ ପରିବାରର ଏହି ସହାୟତା ଲାଗି ପରୀକ୍ଷାର୍ଥୀ ଏବଂ ତାଙ୍କର ଅବିଭାବକମାନେ ଓଡିଶା-ମୋ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି |