ଦୀର୍ଘ ୩୫ ବର୍ଷ ପୂର୍ବେ ପରିବାରରୁ ବିଚ୍ଛିନ୍ନ ହୋଇଥିବା ବ୍ୟକ୍ତିଙ୍କର ପରିବାର ସହ ପୁନର୍ମିଳନ କରାଇଲା ‘ଓଡିଶା-ମୋ ପରିବାର’

ଭୁବନେଶ୍ୱର:କଥାରେ ଅଛି ‘ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି’ | ଆମଭିତରେ ଏପରି ବହୁତ କମ ଲୋକ ଅଛନ୍ତି ଯେଉଁମାନେକି ଏ ସଂସାରରେ ତ ଅଛନ୍ତି କିନ୍ତୁ ଘରଠୁ ସେମାନେ କୋଣସି କାରଣରୁ ବିଛିନ୍ନ ହୋଇଥାନ୍ତି | ବର୍ଷ ବର୍ଷ ଧରି ଘର ତଥା ନିଜର ପରିବାର ଲୋକଙ୍କଠୁ ଦୂରରେ ରହିବା କେତେଯେ କଷ୍ଟସାଧ୍ୟ ତାହା ବୁଝିବା ଆମ ପକ୍ଷରେ ଅସମ୍ଭବ | ଏହି କଷ୍ଟ କେବଳ ସେହି ମଣିଷ ବୁଝିପାରିବ ଯେ କି ଦୀର୍ଘ ବର୍ଷରୁ କୋଣସି କାରଣରୁ ପରିବାରଠୁ ବିଛିନ୍ନ ହୋଇଥିବ | ଏପରି ଏକ ଘଟଣା ଘଟିଥିଲା ଠିକ୍ ୩୫ ବର୍ଷ ପୂର୍ବେ | ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅନ୍ତର୍ଗତ ଗୁମ୍ମା ବ୍ଲକର ଶ୍ରୀ ଦୟା ଭୂୟାଁ ଦୀର୍ଘ 35 ବର୍ଷ ତଳେ ଜୀବିକା ନିର୍ବାହ ନିମନ୍ତେ ବୃତ୍ତିର ଅନୁସନ୍ଧାନରେ ଅରୁଣାଚଳପ୍ରଦେଶ ଯାଇଥିଲେ | ସେଠାରେ ଅନେକ ସମୟ କାମ କରିବା ପରେ ବୟସ ବୃଦ୍ଧି ହେତୁ ପରିଣତ ବୟସରେ ତାଙ୍କୁ ଆଉ କୌଣସି କାମ ମିଳି ନଥିଲା | ଫଳରେ ସେ ଅରୁଣାଚଳପ୍ରଦେଶର ଏକ ଜଙ୍ଗଲରେ ରହିବା ସହ ଜଙ୍ଗଲଜାତ ଦ୍ରବ୍ୟ ଓ ଫଳମୂଳ ଖାଇ ଜୀବନ ଅତିବାହିତ କରୁଥିଲେ | ସେଠାରେ ରହୁଥିବା କିଛି ପ୍ରବାସୀ ଓଡିଆ ତାଙ୍କୁ ଦେଖି ଠାବ କରିବା ପରେ ଏ ସମ୍ପର୍କରେ ଓଡିଶା-ମୋ ପରିବାରକୁ ଜଣାଇଥିଲେ |

odisha mo paribar

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ସଦାସର୍ବଦା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପ୍ରତି ଆନ୍ତରିକତା ରହିଆସିଥିବାରୁ ତାଙ୍କର ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କୁ ଏ ସମ୍ପର୍କରେ ସୂଚିତ କରାଯାଇଥିଲା | ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଓଡିଶା-ମୋ ପରିବାରର ମିଳିତ ଉଦ୍ୟମରେ ଗଜପତି ଜିଲ୍ଲାପାଳ ଶ୍ରୀ ସାହା ଗଜପତିର ସହ ଶ୍ରମ ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ମଣ୍ଡଳଙ୍କୁ ସଂପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଆଣିବାଲାଗି ଅରୁଣାଚଳପ୍ରଦେଶ ପଠାଇଥିଲେ | ତାଙ୍କୁ ଓଡିଶା ଫେରାଇ ଆଣି ତାଙ୍କ ପରିବାର ଲୋକଙ୍କ ସହ ପୁନର୍ମିଳନ କରାଇବା ପାଇଁ ଓଡିଶା-ମୋ ପରିବାର ତରଫରୁ ବିମାନ ଟିକେଟ ଏବଂ ଅନ୍ୟାନ୍ୟ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା | ତେବେ ସଂପୃକ୍ତ ବ୍ୟକ୍ତି ଏବଂ ତାଙ୍କ ପରିବାରର ଜୀବିକା ନିର୍ବାହ ନିମନ୍ତେ ସମସ୍ତ ବ୍ୟବସ୍ଥା କରିବା ଲାଗି ଓଡିଶା-ମୋ ପରିବାର ତରଫରୁ ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କୁ ଅନୁରୋଧ କରାଯାଇଛି ଯାହାଫଳରେ ଶ୍ରୀ ଭୂୟାଁ ତାଙ୍କର ବାକି ଜୀବନ ସୁରୁଖୁରୁରେ ଅତିବାହିତ କରିବାରେ ସକ୍ଷମ ହୋଇପାରିବେ |