ଜେଇଇ(ମେନ୍) ପରୀକ୍ଷାର୍ଥୀଙ୍କୁ ଓଡିଶା-ମୋ ପରିବାର ତରଫରୁ ନିବେଦନ

ଭୁବନେଶ୍ୱର: ଗତ ୧ ତାରିଖରୁ ସର୍ବ ଭାରତୀୟ ସ୍ତରରେ ଜେଇଇ(ମେନ୍) ପରୀକ୍ଷା ଆରମ୍ଭ ହୋଇସାରିଛି | ରାଜ୍ୟରେ କରୋନା ମହାମାରୀର ସାମ୍ପ୍ରତିକ ପରିସ୍ଥିତିରେ ସଂକ୍ରମଣକୁ ରୋକିବା ଲାଗି ସମସ୍ତ କୋଭିଡ୍ ନିୟମ ଅନୁପାଳନ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଛନ୍ତି | ଓଡିଶାରେ ସମୁଦାୟ ୨୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଥିବା ବେଳେ ଓଡିଶା-ମୋ ପରିବାର ତରଫରୁ ସମସ୍ତ ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା କେନ୍ଦ୍ର ସମ୍ମୁଖରେ ‘ହେଲ୍ପ ଡେସ୍କ’ ସ୍ଥାପନ କରି ନିୟମିତ ଭାବରେ ପାଣି ବୋତଲ, ସାନିଟାଇଜର୍, କଲମ, ମାସ୍କ, ଜଳଖିଆ ଇତ୍ୟାଦି ଯୋଗାଇ ଦିଆଯାଉଛି |

ପୂର୍ବରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି | ଆଜି ଭୁନେଶ୍ୱର ପରୀକ୍ଷାକେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ ସଡକ ଦୁର୍ଘଟଣାରେ କ୍ଷତବିକ୍ଷତ ହୋଇ ପହଞ୍ଚିବା ପରେ ଓଡିଶା-ମୋ ପରିବାର ତରଫରୁ ତାଙ୍କୁ ପ୍ରାଥମିକ ଚିକିସ୍ଥା ଯୋଗାଇ ଦିଆଯାଇଥିଲା | ଗତକାଲି ଜଣେ ଛାତ୍ରୀଙ୍କର ପରୀକ୍ଷାକେନ୍ଦ୍ର କଟକରେ ହୋଇଥିବା ବେଳେ ଭୁଲବଶତଃ ସେ ଭୁବନେଶ୍ୱର ପରୀକ୍ଷାକେନ୍ଦ୍ରରେ ପହଞ୍ଚିଯାଇଥିଲେ | ସ୍ବଳ୍ପ ସମୟ ମଧ୍ୟରେ ଓଡିଶା-ମୋ ପରିବାର ତରଫରୁ ଯାତାୟତ ସୁବିଧା କରାଯାଇ ସଠିକ୍ ସମୟରେ ତାଙ୍କୁ ନିର୍ଦ୍ଧାରିତ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇ ଦିଆଯାଇଥିଲା | ସେହିପରି ଭାବରେ ଗତ ତିନି ଦିନ ମଧ୍ୟରେ ଭୁବନେଶ୍ବରେ ୫୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କୁ ନିର୍ଧାରିତ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବା ଲାଗି ଓଡିଶା-ମୋ ପରିବାର ତରଫରୁ ଯାତାୟତ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଓଡିଶାର ଅନ୍ୟାନ୍ୟ ୬ଟି ସହର ଯଥା- ବ୍ରହ୍ମପୁର, ବାଲେଶ୍ବର, ରାଉରକେଲା, କଟକ, ସମ୍ବଲପୁର ଏବଂ ଢେଙ୍କାନାଳରେ ମଧ୍ୟ ୬୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଧାରିତ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବା ଲାଗି ଓଡିଶା-ମୋ ପରିବାର ତରଫରୁ ଏହି ସୁବିଧା ଯୋଗାଇ ଦିଆଯାଇଛି |

ଆଗାମୀ ଦିନରେ ମଧ୍ୟ ଓଡିଶା-ମୋ ପରିବାର ସଦାସର୍ବଦା ପରୀକ୍ଷାର୍ଥୀଙ୍କୁ ଏହିପରି ଭାବରେ ସହାୟତା କରିବା ଲାଗି ତତ୍ପର ରହିବ କିନ୍ତୁ ସମସ୍ତ ପରୀକ୍ଷାର୍ଥୀ ଏବଂ ଅବିଭାବକମାନଙ୍କୁ ସଠିକ୍ ରୂପେ ନିର୍ଦ୍ଧାରିତ ପରୀକ୍ଷାକେନ୍ଦ୍ରକୁ ଚିହ୍ନଟ କରି ପହଞ୍ଚିବା ଲାଗି ଓଡିଶା-ମୋ ପରିବାର ତରଫରୁ ଅନୁରୋଧ କରାଯାଉଛି |