ସଭା ମଞ୍ଚକୁ ଅଣ୍ଡା ମାଡ ହେବାରୁ ଅଭିଯୁକ୍ତକୁ ପୋଲିସ ଠୁ ଛଡାଇ ଆଣି ପିଟିଲେ ମନ୍ତ୍ରୀ

ଭୁବନେଶ୍ୱର: ମନ୍ତ୍ରୀ ଦେଖାଇଲେ ଦବଙ୍ଗଗିରି । ଆଇନକୁ ହାତକୁ ନେଇ ପୋଲିସ୍ କଷ୍ଟୋଡ଼ିରେ ଥିବା ଯୁବକଙ୍କୁ ଗାଡ଼ି ଭିତରେ ପିଟିଲେ । ବଲାଙ୍ଗିର ସଇଁତଳା ବ୍ଲକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ସଭାରେ ଏମିତି କାଣ୍ଡ କରିଛନ୍ତି ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ସଭା ମଞ୍ଚରେ ଅଣ୍ଡା ମାଡ଼କୁ ନେଇ ହୋଇଛି ମହାଭାରତ ।

ଶୁକ୍ରବାର ବଲଙ୍ଗୀର ଜିଲ୍ଲା ଗସ୍ତରେ ରାଜ୍ୟ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଯାଇଥିଲେ । ଟିଟିଲାଗଡରେ ଆୟୋଜିତ ଦଳର ପଦଯାତ୍ରା କାର‌୍ୟ୍ୟକ୍ରମରେ ସେ ଯୋଗ ଦେଇଥିଲେ । ତାଙ୍କ ସହ ସ୍ଥାନୀୟ ବିଧାୟିକା ଟୁକୁନି ସାହୁ ଓ ଅନ୍ୟ ନେତାମାନେ ସାମିଲ ହୋଇଥିଲେ । ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାକୁ ଜଣେ ଯୁବକ ଅଣ୍ଡା ମାଡ କରିଥିଲେ । କିନ୍ତୁ ଅଣ୍ଡା ମନ୍ତ୍ରୀ କିମ୍ବା କୌଣସି ଅତିଥିଙ୍କ ଦେହରେ ବାଜି ନଥିଲା । ଏହା କେବଳ ମଂଚରେ ପଡିଥିଲା । ଏଥିରେ ଅଣ୍ଡା ମାରିଥିବା ଯୁବକଙ୍କୁ ଲୋକେ କାବୁ କରି ନିଧୁମ ମାଡ ମାରିଥିଲେ । ଏହା ପରେ ସେଠାରେ ଥିବା ପୁଲିସକୁ ସମ୍ପୃକ୍ତ ଯୁବକଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ନେଇ ଗାଡିରେ ବସାଇଥିଲେ । କିନ୍ତୁ ସଭା କାର‌୍ୟ୍ୟ ସରିଲା ପରେ ମନ୍ତ୍ରୀ ଗାଡିରେ ବସି ବାହାରିଥିଲେ । କିନ୍ତୁ ମନ୍ତ୍ରୀ ଯେତେବେଳେ ଦେଖିଲେ ସମ୍ପୃକ୍ତ ଯୁବକକୁ ପୁଲିସ ନେଇ ଗାଡି ଭିତରେ ବସାଇଛନ୍ତି ଏବଂ ମାଡ ମାରୁଥିବା ଲୋକଙ୍କୁ ଅଟକାଉଛନ୍ତି ସେହି ସମୟରେ ମନ୍ତ୍ରୀ ଶ୍ରୀ ସିଂ ସେଠାରେ ପହଞ୍ଚି ଯାଇତିଲେ । ପୁଲିସକୁ ଆଖି ଦେଖାଇ ପାଟି କରି ସିଧା ଗାଡି ଭିତରକୁ ପଶି ସମ୍ପୃକ୍ତ ଯୁବକଙ୍କୁ ମାଡ ମାରିଥିଲେ । ଶ୍ରୀ ସିଂହ ଏତେ କ୍ଷୁବ୍ଧ ୁଥିଲେ ଯେ ସେ ସମୟରେ ଭୁଲିଗଲେ ନିଜ ପଦପଦବୀ । ଏପରିକି ସେ ନେଇଥିବା ଶପଥ ମଧ୍ୟ କୌଣସି ମୂଲ୍ୟ ନରଖି ସିଧା ଆଇନକୁ ହାତକୁ ନେଇଥିଲେ ।

ପୁଲିସ ଉପସ୍ଥିତିରେ କେବଳ ଲୋକେ ନୁହଁନ୍ତି ମନ୍ତ୍ରୀ ମଧ୍ୟ ବାଡେଇ ଥିଲେ । ଏହି ଘଟଣାରେ ପୁଲିସ ମନ୍ତ୍ରୀ କିମ୍ବା କାହାରି ବିରୋଧରେ ମାମଲା ରୁଜୁ କରିନାହିଁ । ମିଳିଥିବା ସୂଚନାନୁସାରେ ଏହା ହେଉଛି ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀଙ୍କ କାର‌୍ୟ୍ୟ । ସମ୍ପୃକ୍ତ ଯୁବକଙ୍କ ନାଁ ଚନ୍ଦ୍ର ବୁଡେକ ଓ ତାଙ୍କ ଘର ବଲାଙ୍ଗୀରର କୁଡାସିଙ୍ଗା । ସେ ବିଜେଡିର ଜଣେ ସକ୍ରିୟ କର୍ମୀ । ମନ୍ତ୍ରୀ ହୋଇ ଶ୍ରୀ ସିଂହ କିଭଳି ଭାବରେ ନିଜେ ଗୁଣ୍ଡା ସାଜିଲେ ଓ ଆଇନକୁ ହାତକୁ ନେଲେ ତାକୁ ନେଇ ଏବେ ସମାଲୋଚନା ଚାଲିଛି । ବିରୋଧୀ ଏହି ଘଟଣାକୁ ନିନ୍ଦା କରିବା ସହ ମନ୍ତ୍ରୀଙ୍କ ବିରୋଧରେ କାର‌୍ୟ୍ୟନୁଷ୍ଠାନ ପାଇଁ ଦାବୀ କରିଛନ୍ତି । ମନ୍ତ୍ରୀ ମାଡ ମାରୁଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ରାଜନୀତି ତେଜିଛି ।