କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍), ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା(ସଂସ୍କୃତ) ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ । ଏ ସଂକ୍ରାନ୍ତରେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । କିନ୍ତୁ କେବେ ଫର୍ମପୂରଣ କରାଯିବ, କେଉଁ ଶୈଳୀରେ ପ୍ରଶ୍ନପତ୍ର ପଡ଼ିବ, ମାଟ୍ରିକ୍ ପରୀକ୍ଷାର ନିର୍ଦ୍ଦିଷ୍ଟ କାର୍ୟ୍ୟସୂଚୀ ବିଷୟରେ ବୋର୍ଡ କିମ୍ବା ଗଣଶିକ୍ଷା ବିଭାଗ ପକ୍ଷରୁ କୈଣସି ସୂଚନା ଦିଆଯାଇ ନାହିଁ ।
ମାଟ୍ରିକ୍ ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ମେ ୧୫ ତାରିଖରେ ଶେଷ ହେବ । ଆସନ୍ତା ୪ ତାରିଖ ସୋମବାର ଦିନ ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଫର୍ମପୂରଣ ବିଷୟରେ ବୋର୍ଡ ପକ୍ଷରୁ ଘୋଷଣା କରାଯିବ । ଫର୍ମପୂରଣ ପରେ ପରୀକ୍ଷାର ନିର୍ଦ୍ଦିଷ୍ଟ କାର୍ୟ୍ୟସୂଚୀ ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇବ । କିନ୍ତୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କେଉଁ ଶୈଳୀରେ ପ୍ରଶ୍ନପତ୍ର ପଡ଼ିବ ସେ ବିଷୟରେ ବୋର୍ଡ ପକ୍ଷରୁ କୈଣସି ସୂଚନା ଦିଆଯାଇନାହିଁ । କିନ୍ତୁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଓ ବୋର୍ଡ ଦ୍ୱାରା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମାଟ୍ରିକ୍ ପରୀକ୍ଷା ପୁସ୍ତିକା ପ୍ରସ୍ତୁତି ଚାଲିଛି । ଏଥିରେ ଆସନ୍ତା ମାଟ୍ରିକ୍ ପରୀକ୍ଷା ସୈଳୀରେ ପ୍ରଶ୍ନପତ୍ରମାନ ରହିଛି । ଏହି ପୁସ୍ତିକା ଅନୁସାରେ ଚଳିତ ବର୍ଷ ମୋଟ ୮୦ ନମ୍ବର ପରୀକ୍ଷା କରାଯିବାର ସୂଚନା ମିଳୁଛି । ଏଥିରୁ ୫୦ ନମ୍ବର ଅବ୍?ଜେକ୍ଟିଭ୍ ପ୍ରଶ୍ନ (ଯାହାର ଉତ୍ତର ଓଏମ୍ଆରମାଧ୍ୟମରେ ଦିଆଯିବ) ଓ ଅବଶିଷ୍ଟ ୩୦ ନମ୍ବର ସବ୍ଜେକ୍ଟିଭ୍ (ଯାହାର ଉତ୍ତର ଲିଖିତ ଆକାରରେ) ରହିବ । ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ଯେ ମେ’ ୩ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । କିନ୍ତୁ ଫର୍ମପୂରଣ ସଂକ୍ରାନ୍ତରେ ଆସନ୍ତା ୪ କିମ୍ବା ୫ ତାରିଖରେ ଘୋଷଣା କରାଯିବ । ଫର୍ମପୂରଣ ପରେ ପରୀକ୍ଷାର କାର୍ୟ୍ୟସୂଚୀ ବିଷୟରେ ଗଣମାଧମରେ ପ୍ରକାଶ କରାଯିବ । କିନ୍ତୁ ପରୀକ୍ଷାରେ ମୋଟ ନମ୍ବର କେତେ ରହିବ, ପ୍ରଶ୍ନପତ୍ର କେଉଁ ପ୍ୟାଟନରେ ପଡ଼ିବ, ସେ ସଂପର୍କରେ ଆଲୋଚନା ଚାଲିଛି ବୋଲି ସଭାପତି ଶ୍ରୀ ହାଜରା କହିଛନ୍ତି । ଆସନ୍ତା ୩ ମାସ ମଧ୍ୟରେ ମାଟ୍ରିକ୍ ପରୀକ୍ଷାର ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଯିବ ବୋଲି ସଭାପତି ଶ୍ରୀ ହାଜରା ସୂଚନା ଦେଇଛନ୍ତି ।