ମାସ୍କକୁ ସାଥି କଲେ, ଆମେ କରୋନାଠୁ ଜିତିବା: ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ

୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ

ଭୁବନେଶ୍ୱର  : ବିନା ମାସ୍କରେ ବାହାରକୁ ବାହାରନ୍ତୁ ନାହିଁ । ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କବଚ । ମାସ୍କ ପିନ୍ଧିଲେ କରୋନାକୁ ବିନା ଲକ୍‌ଡାଉନ୍‌ରେ ରୋକିପାରିବା । ଯଦି ନିଜର ଜୀବନ ଜୀବିକାକୁ ବଜୟା ରଖିବାକୁ ଚାହାନ୍ତି ତେବେ, ମାସ୍କ ପିନ୍ଧନ୍ତୁ । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହଛନ୍ତି ଯେ, ମୁଁ ମାସ୍କ ପିନ୍ଧୁ ନ ଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି, ସେମାନଙ୍କ ଠାରୁ ୨ ଗୁଣ ଜରିମାନା ଆଦାୟ କରାଯିବ । ଦେଶର ଅନ୍ୟ ରାଜ୍ୟରେ ଲକ୍‌ଡାଉନ୍ ଓ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇଯାଇଛି । ଆମେ କଟକଣା ମାନିଲେ ଏସବୁର ଦରକାର ପଡ଼ିବ ନାହିଁ । ଆସନ୍ତୁ ଆମେ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବା । ଏହି ସମୟରେ କଡ଼ାକଡ଼ି ଭାବେ ମାସ୍କ ପିନ୍ଧିବା ନିୟମ ପାଳନ କରିବା । ତେବେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯିବ । ପୂରା ନାକ ଓ ମୁହଁକୁ ବନ୍ଦ କରି ମାସ୍କ ପିନ୍ଧିବା । ତେବେ କରୋନାକୁ ଜିତି ପାରିବା ।
ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ, ବେକରେ ଝୁଲେଇ କି ନୁହେଁ, ମାସ୍କକୁ ଠିକ ଭାବେ ନାକକୁ ଘୋଡେଇ ପିନ୍ଧିବା । ମା’ ମାନଙ୍କୁ ବିଶେଷ ଅନୁରୋଧ ଘରଲୋକ ଯେତେବେଳେ ବାହାରକୁ ଯାଉଛନ୍ତି ସେମାନେ ଯେଭଳି ମାସ୍କ ପିନ୍ଧିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବେ । ମା’ ମନେ ସତର୍କ ହେଲେ କରୋନା ଘର ଭିତରକୁ ଆସିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତି । ତେଣୁ ମା’ ମାନେ ଘର ଭିତରେ ପରିବାରର ଲୋକଙ୍କୁ ଜଗନ୍ତୁ ।
ଯେଉଁମାନେ କୋଭିଡ-୧୯ ଟିକା ନେଇ ନାହାନ୍ତି, ସେମାନେ ନିଶ୍ଚୟ ଭାବେ ମାସ୍କ ପିନ୍ଧନ୍ତୁ । ଯେଉଁମାନେ ଟିକା ନେଇଛନ୍ତି, ସେମାନେ ବି ମାସ୍କ ପିନ୍ଧନ୍ତୁ । ତା’ ହେଲେ ଯାଇ ବିନା ଲକଡାଉନରେ କୋରନାକୁ ରୋକିପାରିବା । ଯଦି ଆପଣ ଚାହୁଁଛନ୍ତି ଯେ, ଆପଣଙ୍କ ରୋଜଗାର ବନ୍ଦ ନହେଉ ତେବେ ଆପଣଙ୍କ ଜୀବିକା ଠିକ ଭାବେ ଚାଲୁ ତା’ହେଲେ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ।
ଏବେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ବ୍ୟାପି ଚାଲିଛି । ଅନ୍ୟ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଯାଇଛି । ତେଣୁ ଆମକୁ କେତେ ଲହରର ସମ୍ମୁଖୀନ ହେବାକୁ ପଡିବ ତାହା ଆମେ ଜାଣିନୁ । ଯଦି ଆମ ଜୀବନଶୈଳୀରେ ଛୋଟିଆ ପରିବତ୍ତନ ଆଣିପାରିବା ଓ ମାସ୍କକୁ ସାଥି କରିପାରିବା ତେବେ ବିନା ଲକଡାଉନରେ କରୋନା ବିପଦରୁ ରକ୍ଷା ପାଇପାରିବା । ଆପଣଙ୍କ ସହଯୋଗ ଆମକୁ ଏହି ଯୁଦ୍ଧରେ ବିଜୟୀ କରିପାରିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି- ବର୍ଷେରୁ ଅଧିକ ସମୟ ହେଲା ସାରା ବିଶ୍ୱ ଏକ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛି । ମାନବ ଇତିହାସରେ ଏଭଳି ସଂକଟ ନିକଟ ଅତୀତରେ କେବେ ବି ଆସି ନ ଥିଲା । କୋଭିଡ୍ ସଂକ୍ରମଣର ପ୍ରଥମ ଲହର ସମୟରେ ଜନସାଧାରଣ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଏବଂ କୋଭିଡ୍ ଯୋଦ୍ଧା ଅସୀମ ତ୍ୟାଗ ଓ ସେବା ଯୋଗୁଁ ଆମେ ଅନେକ ଜୀବନ ରକ୍ଷା କରିପାରିଥିଲେ । ଆମ ରାଜ୍ୟରେ ମୃତ୍ୟୁସଂଖ୍ୟା ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍ ଥିଲା । କୋଭିଡର ପ୍ରଥମ ଲହର ସମୟରେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା । ବାରମ୍ବାର ଲକଡାଉନ୍ ଓ ସଟଡାଉନ୍ କରିବାକୁ ପଡ଼ିଥିଲା । ଲକଡାଉନରେ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବେପାର ବଣିଜ କ୍ଷତିରେ ଚାଲିଥିଲା । ଗରିବ ଲୋକଙ୍କ ରୋଜଗାର ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥିଲା । ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଏହା ବହୁତ ଶୀଘ୍ର ବ୍ୟାପୁଛି । ଦେଶର ଅନେକ ରାଜ୍ୟରେ ଲକଡାଉନ୍‌, ସଟଡାଉନ୍ ଆରମ୍ଭ ହେଲାଣି । ଆମେ କୋଭିଡ୍ ନିୟମ ମାନି ମାସ୍କ ଠିକ୍ ଭାବରେ ପିନ୍ଧିଲେ ଆମେ ବିନା ଲକଡାଉନରେ କରୋନା ସଂକ୍ରମଣକୁ ରୋକି ପାରିବା । ଏଥିପାଇଁ ଆଜିଠୁ ୧୪ ଦିନ ପର୍ଯ୍‌ଯନ୍ତ ଆମେ ସମସ୍ତେ ମିଶ ମାସ୍କ ଅଭିଯାନ ଆରମ୍ଭ କରିବା । ୧୪ ଦିନ ଲାଗି ଆମେ କୌଣସି ଜିନିଷକୁ ଆରମ୍ଭ କଲେ ତାହା ଅଭ୍ୟାସରେ ପରିଣତ ହୋଇଯିବ । ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ୍ ଭାବେର ମାସ୍କ ପିନ୍ଧିବା । ବେକରେ ଝୁଲାଇ ନୁହେଁ ପୂରା ମୁହଁ ଓ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।