ଲୋକାୟୁକ୍ତ ଚୟନ ସରିଲା, ରାଜ୍ୟପାଳଙ୍କ ମୋହର ପରେ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହେବ


ପୁରୀ : ଲୋକାୟୁକ୍ତ ଚୟନ କମିଟି ବୈଠକ ମଙ୍ଗଳବାର ସରିଛି । ବୈଠକରେ ଲୋକାୟୁକ୍ତ ଅଧ୍ୟକ୍ଷ କିଏ ହେବେ ସେନେଇ କମିଟି ରେ ନାଁ ଚୁଡାନ୍ତ ହୋଇଛି । ରାଜ୍ୟପାଳଙ୍କ ମୋହର ପରେ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଲୋକାୟୁକ୍ତ ଚୟନ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ବିଧି ଅନୁସାରେ କମିଟିରେ ସବସମ୍ନତ କ୍ରମେ ଚୟନ କରାଯାଇଥିବା ନାଁ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ରାଜ୍ୟପାଳ ଏହାକୁ ଅନୁମୋଦନ କଲା ପରେ ନାଁ ପ୍ରକାଶ କରାଯିବ। ଲୋକାୟୁକ୍ତ କମିଟି ସଦସ୍ୟମାନଙ୍କ ନାଁ ପରେ ଚୂଡ଼ାନ୍ତ କରାଯିବ ବୋଲି ପାଢ଼ୀ କହିଛନ୍ତି। ଏଥି ପାଇଁ ଆଉ ଥରେ ପୁଣି ଏକ ବୈଠକ ବସିବ। ବୈଠକରେ ବିରୋଧୀ ଦଳର ନେତା, ହାଇକୋର୍ଟ ମୁଖ୍ୟ ବିଚାରପତି, ବିଧାନସଭା ବାଚସ୍ପତି ଓ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ୨୦୧୪ ଫେବ୍ରୁଆରି ୧୪ରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲୋକାୟୁକ୍ତ ବିଲ୍‌ ପାସ୍‌ କରିଥିଲା। ହେଲେ ଆଇନ୍‌ ପ୍ରଣୟନର ୫ ବର୍ଷ ପୂରିବାକୁ ବସିଥିଲେ ମଧ୍ୟ ଏଯାଏ ଲୋକାୟୁକ୍ତ ନିଯୁକ୍ତ ହୋଇ ନଥିବାରୁ ସୁପ୍ରିମକୋର୍ଟରେ ମାମଲା ଦାଏର ହୋଇଥିଲା। ଏ ନେଇ ଶୀଘ୍ର ପଦକ୍ଷେପ ନେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଲୋକାୟୁକ୍ତ ଚୟନ ପ୍ରକ୍ରିୟା ନିମନ୍ତେ ଆଜି ବୈଠକ ବସି ଥିଲା। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କୋର୍ଟରେ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ଚୟନ କରାଯିବ। ତା’ସହ ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ କାର‌୍ୟ୍ୟ ଆରମ୍ଭ କରିବେ।