୭ ସାମ୍ବାଦିକଙ୍କୁ ମିଳିବ ‘ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ- ୨୦୧୯’

ଭୁବନେଶ୍ୱର: ସାମ୍ୱାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି  ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ୭  ସାମ୍ୱାଦିକ  ଓ ଗୋଟିଏ ଖବରକାଗଜକୁ ସମ୍ମାନିତ କରାଯିବ।  ଦିଲ୍ଲୀର ପୁରାତନ ଏବଂ ଅଗ୍ରଣୀ ପ୍ରତିଷ୍ଠାନ ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ  ଏହି ପ୍ରତିଭାବାନ ସାମ୍ବାଦିକଙ୍କୁ ‘ଓଡ଼ିଶା  ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୧୯ ’ ପ୍ରଦାନ କରାଯିବ।  ଆସନ୍ତା ୧୦ ତାରିଖରେ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବର ସ୍ପିକର ହଲ୍‌ରେ ଏକ ଭବ୍ୟ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାଯାଇଛି।

‘ଓଡ଼ିଶା  ଜର୍ଣ୍ଣାଲିଜିମ୍ ଆୱାର୍ଡ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଓଡ଼ିଶାର ପ୍ରତିଭାବାନ ୭  ସାମ୍ୱାଦିକ ହେଲେ ପ୍ରଗତିବାଦୀର କାର୍ଯ୍ୟ ନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ନ୍ୟୁଜ୍‌ ସେଭେନ୍‌ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ, ସମ୍ୱାଦର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ, ପ୍ରମେୟର ବାର୍ତ୍ତା ସମ୍ପାଦକ ଧିରେନ୍ଦ୍ର ନାରାୟଣ ମିଶ୍ର ।ସେମାନଙ୍କ ବ୍ୟତୀତ ବିବିସି ଓ ଆଉଟ୍‌ଲୁକ୍‌ ତଥା ଅନ୍‌ଲାଇନ୍ ଗଣମାଧ୍ୟମର ପ୍ରତିନିଧି ସନ୍ଦିପ ସାହୁ, ଗ୍ରାମାଞ୍ଚଳ ସାମ୍ୱାଦିକତା କ୍ଷେତ୍ରରେ ନିଜର  ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ସୌଭାଗ୍ୟ ସୁନ୍ଦରରାୟ ଓ ‘ଧରିତ୍ରୀ’ର  ସସ୍ମିତା ରାଉତରାୟ ମଧ୍ୟ ଏହି ପୁରସ୍କାର ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିସହ ଓଡ଼ିଶାର ଲୋକପ୍ରିୟ ଇଂରାଜୀ ଖବର କାଗଜ ‘ଓଡ଼ିଶା ପୋଷ୍ଟ’କୁ ଏହାର ଆଳଙ୍କାରିକ ସାଜସଜ୍ଜା ଏବଂ ବିଷୟବସ୍ତୁ ପାଇଁ  ‘ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ’ ୨୦୧୯ ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍  ଓ ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏନେଇ ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ସୂଚନା ଦେଇଛନ୍ତି। ଦିଲ୍ଲୀରେ ଦୀର୍ଘ ୨୩ ବର୍ଷ ଧରି ନିୟମିତ ପ୍ରକାଶ ପାଇ ଆସୁଥିବା ସାହିତ୍ୟ ପତ୍ରିକା ପଲ୍ଲୀବାଣୀର ଏକ ସଂଖ୍ୟା ମଧ୍ୟ ଏହି ଅବସରରେ ଲୋକାର୍ପିତ ହେବ।