୨୦୧୯ ମେ’୧୨ରେ ଓଜେଇଇ

ଭୁବନେଶ୍ୱର : ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା କୋର୍ସ ଫି’ ଠାରୁ ଅଧିକ ଆଦାୟ କରୁଥିବା କଲେଜ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସିଟ୍ ବୃଦ୍ଧି ପ୍ରସଙ୍ଗ ଓ ନିର୍ଦ୍ଧାରିତ କୋର୍ସ ଫି’ ଠାରୁ ଅଧିକ ଆଦାୟ କରୁଥିବାର ଅଭିଯୋଗ ଆସିବା ପରେ ହାଇଟେକ୍ ମେଡିକାଲ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ସିଭି ରମଣ କଲେଜ କୋର୍ସ ଫି’ର ତଦନ୍ତ ଲାଗି ୩ଜଣିଆ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ବୁଧବାର ଓଜେଇଇ ପକ୍ଷରୁ ଆୟୋଜିତ ପିପିବି(ପଲିସି ପ୍ଲାନିଂ ବଡି) ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

ପ୍ରକାଶଥାଉ କି, ସିଭି ରମଣ ଇଞ୍ଜିନିୟରିଂ କଲେଜରେ ସରକାର ଯେଉଁ କୋର୍ସ ଫି’ ଧାର୍ଯ୍ୟ କରିଛନ୍ତି ତା’ ଠାରୁ ଅଧିକ ଆଦାୟ ହେଉଛି ବୋଲି ପୂର୍ବରୁ କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଉପରେ ସମ୍ପୃକ୍ତ କଲେଜର କୋର୍ସ ଫି’ କେତେ ରହିଛି ଏବଂ ଛାତ୍ରଛାତ୍ରୀଙ୍କ ଅଭିଯୋଗର ସତ୍ୟତା ସମ୍ପର୍କରେ ଯାଞ୍ଚ କରିବାକୁ ୩ଜଣିଆ କମିଟି ଗଠିତ ହୋଇଛି । ଏହି କମିଟି ଆସନ୍ତା ୧ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବ ବୋଲି ଜଣାପଡ଼ିଛି । ସେହିପରି ୨୦୧୯ ଓଜେଇଇ( ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେ’ ୧୨ତାରିଖରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି ।

ସେହିପରି ଜୁଲାଇ ୨୧ତାରିଖରେ ସ୍ୱତନ୍ତ୍ର ଓଜେଇଇ ହେବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଏହାବ୍ୟତୀତ ବୈଷୟିକ ଶିକ୍ଷାର ସମସ୍ତ ପିଜି ପାଠ୍ୟକ୍ରମ ଯଥା, ଏମ୍ଟେକ୍, ଏମ୍ସିଏ, ଏମ୍ବିଏ, ଏମ୍ ଫାର୍ମା ଆଦି ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ପରିଚାଳନାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଣିକି ଏହି ପାଠ୍ୟକ୍ରମଗୁଡ଼ିକର ପ୍ରବେଶିକା ପରୀକ୍ଷା ଅଫ୍ ଲାଇନ୍ ମାଧ୍ୟମରେ ହେବ ନାହିଁ । ଏହି ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷାଗୁଡ଼ିକୁ ଅନ୍ଲାଇନ୍ ମାଧ୍ୟମରେ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ତେବେ ଓଜେଇଇ ଲାଗି ଫର୍ମ ପୂରଣ ତାରିଖ ଘୋଷଣା କରାଯାଇ ନାହିଁ । ଆସନ୍ତା ଜାନୁଆରୀରେ ଆଉ ଏକ ବୈଠକ ଅନୁଷ୍ଠିତ ହେବା ପରେ ତାହା ସ୍ପଷ୍ଟ ହେବ । ପଲିସି ପ୍ଲାନିଂ ବଡିର ଅଧ୍ୟକ୍ଷ ଜଷ୍ଟିସ୍ ଏକେ ପରିଚ୍ଛାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡିଟିଇଟି ବଲ୍ୱନ୍ତ ସିଂ, ବୈଷୟିକ ଶିକ୍ଷା ଯୁଗ୍ମ ସଚିବ ଅଜୟ ନାୟକ, ଓପେପା ସଚିବ ବିନୋଦ ଦାଶଙ୍କ ସମେତ ଉଚ୍ଚଶିକ୍ଷା ବିଭାଗ, ବିପିୟୁଟିର ବରିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ ।