ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବାକୁ ଯାଉଛି: ମୋଦି

କନ୍ଧମାଳରେ ଓଡିଆରେ ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ କହି ସମ୍ବୋଧନ ଆରମ୍ଭ କରିଲେ ପ୍ରଧାନମନ୍ତ୍ରୀ ମୋଦି। ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ କହିଛନ୍ତି ଗତକାଲି ଭୁବନେଶ୍ୱରରେ ମୁଁ ରୋଡ ସୋ କରିଥିଲି । ଯାହା ମୋ ପାଇଁ ବହୁତ ଅଦ୍ଭୁତ ଥିଲା । ଏତେ ପରିମାଣର ଭିଡ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ।

କନ୍ଧମାଳରେ ନିର୍ବାଚନ ପ୍ରଚାର କରି ମୋଦି କହିଛନ୍ତି, ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବାକୁ ଯାଉଛି । ବିଜେପିର ଶପଥ ଗ୍ରହଣ ନିମନ୍ତ୍ରଣ କରିବାକୁ ଆସିଥିବା କହିଛନ୍ତି ମୋଦି । ଡବଲ ଇଂଜିନ ସରକାର ପାଇଁ ଭୋଟ ଦେବାକୁ ମୋଦି ଅପିଲ କରିଛନ୍ତି । ଏପରିକି କନ୍ଧମାଳ ସମାବେଶରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇଛନ୍ତି । ମୋଦି କହିଛନ୍ତି, ୭୦ ବର୍ଷ ପୂର୍ବେ ଶ୍ରୀମନ୍ଦିରକୁ ସୁରୁଖୁରରେ ପରିଚାଳନା ପାଇଁ ନିୟମ ଆସିଥିଲା । ଶ୍ରୀମନ୍ଦିରରେ ଥିବା ସୁନା, ରୂପା, ଅଳଙ୍କାର, ମୋତି ମାଣିକର ସୂଚୀ ପ୍ରସ୍ତୁତ କରି ଏହାକୁ ରେକର୍ଡ କରି ରଖାଯାଇଥିଲା । ରତ୍ନଭଣ୍ଡାରର ଯାଞ୍ଚ ୪୫ ବର୍ଷ ପୂର୍ବେ ହୋଇଥିଲା । ସେତେବେଳେ ଏତେ ମାତ୍ରାରେ ମୂଲ୍ୟବାନ ରତ୍ନ, ଆଭୂଷଣ ଥିଲା ଯେ, ଏହାର ମୂଲ୍ୟାଙ୍କନ କରୁଥିବା ବ୍ୟକ୍ତି ଏହାକୁ ଅମୂଲ୍ୟ ବୋଲି କହିଥିଲେ । କିନ୍ତୁ ରତ୍ନଭଣ୍ଡାର ୪୦ ବର୍ଷ ହେବ ଖୋଲିନି । କିନ୍ତୁ ମୁଁ ପ୍ରତିଶ୍ରୁତି ଦେଉଛି, ରାଜ୍ୟରେ ବିଜେପି ସରକାର ଆସିବା ମାତ୍ରେ ରତ୍ନଭଣ୍ଡାରର ପାରଦର୍ଶିତା ଓ ପ୍ରତିଷ୍ଠାକୁ ପୁଣିଥରେ ସ୍ଥାପିତ କରାଯିବ । ଏଥିସହ ଓଡ଼ିଶାର ସମସ୍ତ ୨୧ ସିଟରେ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି ।

ସେହିପରି କନ୍ଧମାଳ ସଙ୍କଳ୍ପ ସମାବେଶରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥର ଏନଡିଏ ୪୦୦ ପାର କରିବ । ସବୁ ପୁରୁଣା ରେକର୍ଡ ଭାଙ୍ଗିବ । କଂଗ୍ରେସ ୫୦ରୁ କମ ଆସନରେ ସୀମିତ ରହିବ ବୋଲି ଦୃଢ଼ୋକ୍ତି କରିଛନ୍ତି ମୋଦି । ପାକିସ୍ତାନ ପାଖରେ ପରମାଣୁ ବୋମା ଥିବା କହି କଂଗ୍ରେସ ଦେଶବାସୀଙ୍କୁ ଡରାଉଛି ବୋଲି ମୋଦି କହିଛନ୍ତି । ସେମାନେ ବୋଧହୁଏ ଜାଣିନାହାଁନ୍ତି, ପାକିସ୍ତାନ ପାଖରେ ଯାହା ବି ପରମାଣୁ ବୋମା ଅଛି ତାକୁ ସେ ନିଜେ ରଖିପାରୁନି କି କାହାକୁ ବିକି ପାରୁନି।  କାରଣ ସେ ବୋମା କ୍ୱାଲିଟି ଉପରେ କୌଣସି ଦେଶର ବିଶ୍ୱାସ ନାହିଁ । ମୋଦି ଆହୁରି ମଧ୍ୟ କହିଛନ୍ତି, ‘ ୨୦୧୪, ୨୦୧୯ରେ କଂଗ୍ରେସର ଦେଶବାସୀଙ୍କ ଆଗରେ ଯେଉଁ ସ୍କ୍ରିପ୍ଟ ପଢୁଥିଲା ୨୦୨୪ରେ ମଧ୍ୟ ସେହି ସ୍କ୍ରପ୍ଟ ପଢୁଛି । ଭାରତବାସୀ କଂଗ୍ରେସର ସତ କ’ଣ ଜାଣିସାରିଲାଣି । କଂଗ୍ରେସ ଏଭଳି ମନୋଭାବ ଯୋଗୁଁ ଏଥର ନିର୍ବାଚନରେ କଂଗ୍ରେସ ୫୦ ଆସନ ବି ଜିତିପାରିବନି ।