ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ପ୍ରସଙ୍ଗ : ପ୍ରଥମ ମନ୍ତ୍ରୀସ୍ତରୀୟ କମିଟି ବୈଠକ, ୭ରେ ଚାଷୀସଂଗଠନ ସହ ଆଲୋଚନା

ଭୁବନେଶ୍ବର : ଚାଷ ଓ ଚାଷୀଙ୍କ ଦାବି ଉପରେ ଆଜି ବସିଥିଲା ପ୍ରଥମ ମନ୍ତ୍ରୀସ୍ତରୀୟ କମିଟି ବୈଠକ । ଭୁବନେଶ୍ବରରେ କୃଷକମାନେ ଆନ୍ଦୋଳନ କରିବା ସମୟରେ ଏହି କମିଟି ଗଠନ କରିଥିଲେ ସରକାର ।  ନିର୍ବାଚନ ପୂର୍ବରୁ କୃଷକଙ୍କୁ ଥୋପ ଦେବାକୁ ଯୋଜନା । କୃଷିଋଣ ଛାଡ ହେବ କି ନାହିଁ ତାଉପରେ ତ କିଛି ସ୍ପଷ୍ଟ ଚିତ୍ର ଆସୁନି । କିନ୍ତୁ ଭତ୍ତା ଆକାରରେ କିଛି ଥୋପ ଦେଇ କୃଷକଙ୍କ ମନ ଲୋଭାଇବାକୁ ଏକ ପ୍ରୟାସ ଚାଲିଥିବା ନେଇ ଚର୍ଚା ଚାଲିଛି । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଆନ୍ଦୋଳନ କରୁଥିବା କୃଷକଙ୍କ ଦାବି ଉପରେ ଆଲୋଚନା ପାଇଁ ଗଠିତ ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଆଜି ବସିଥିଲା । ଆସନ୍ତା ୭ ତାରିଖ ଦିନ ସବୁ ଚାଷୀସଂଗଠନ ସହ ସେମାନଙ୍କ ଦାବି ସଂପର୍କରେ ଆଲୋଚନା କରିବ କମିଟି।

ଚାଷୀ ସଂଗଠନଙ୍କ ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବି ଭିତରୁ ସରକାର ପ୍ରେଷ୍ଟିଜ୍ ପ୍ରସଙ୍ଗରେ ନିରବ । ପ୍ରାଇସ ଦାବି କେନ୍ଦ୍ର କୋର୍ଟରେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବାକୁ ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଛି।  ଏବାବଦରେ କେନ୍ଦ୍ର ନିକଟରେ ଦାବି ହୋଇଛି। କେନ୍ଦ୍ର ଉପରେ ଦୋଷ ଲଦି ରାଜ୍ୟ ସରକାର ଝାଡ଼ିଝୁଡ଼ି ହୋଇଯାଇଛନ୍ତି। ରହିଲା ପେନସନ କଥା । ଚାଷୀ ସଂଗଠନମାନେ ଦାବି କରୁଥିବା ପେନସନ ପ୍ରସଙ୍ଗକୁ ସରକାର କିଛି ଭତ୍ତା ଆକାରରେ ଦେଇ କୃଷକ ଭୋଟରଙ୍କ ମନ ଜିତି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେପଟେ ବିରୋଧୀ କିନ୍ତୁ କହିଛନ୍ତି ଧାନର ଅଭାବି ବିକ୍ରିଠାରୁ କୃଷକ ଆତ୍ମହତ୍ୟା ପର୍ଯ୍ୟନ୍ତ ସରକାର ଚାଷୀଙ୍କୁ ଅଣଦେଖା କରିଥିବେ ବେଳେ ଏବେ ମନ୍ତ୍ରୀସ୍ତରୀୟ କମିଟି ଏକ ବାହାନା ।

ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଖୁସ୍ କରିବା ଯୋଜନାରେ ଅଛନ୍ତି ସରକାର । ସେଥିପାଇଁ ପ୍ୟାକେଜ ଆକାରରେ କିଛି ଘୋଷଣା ହୋଇପାରେ ବୋଲି ଆକଳନ କରାଯାଉଛି ।