ରାଜ୍ୟର ସବୁ ସହରାଞ୍ଚଳରେ କାଲିଠୁ ରାତ୍ରୀକାଳୀନ କର୍ଫ୍ୟୁ, ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ନେଇ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ପୂର୍ବରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲଗାଇଥିଲେ । ଏଥିରେ ପରିବର୍ତ୍ତନ କରାଯାଇଛି । ଆସନ୍ତାକାଲି ଠାରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏନେଇ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଛତିଶଗଡ଼ ସୀମାନ୍ତ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ଆସନ୍ତାକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ସମୟ ପରିବର୍ତ୍ତନ ହେବ । ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହାବ୍ୟତୀତ ଓଡ଼ିଶାର ଅନ୍ୟ ୨୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ଯାଏ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଲାଗୁ ହେବ ।

ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ କରାଯିବ । ପ୍ରତି ଶନିବାର ଓ ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ୱିକେଣ୍ଡ କର୍ଫ୍ୟୁ ଲାଗୁ ହେବ । ଆସନ୍ତା ଶନିବାର ଓ ରବିବାର ଠାରୁ ଏହି ସାପ୍ତାହିକ ସଟଡାଉନ୍ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ସମସ୍ତ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତି ନିଜ ଆଇକାର୍ଡ ଚେକିଂ ସମୟରେ ଦେଖାଇବେ । ନାଇଟ୍ କର୍ଫ୍ୟୁ ସମୟରେ ମାଲ ପରିବହନ ଗାଡ଼ି ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଉଚ୍ଚଶିକ୍ଷା ବିଭାଗର ସମସ୍ତ ପାଠପଢ଼ା ଆସନ୍ତା ୧୯ ତାରିଖରୁ ବନ୍ଦ କରାଯିବ । କୋଚିଂ ସେଣ୍ଟର ଗୁଡ଼ିକ ମଧ୍ୟ ଅଫଲାଇନ୍ କ୍ଲାସ୍ କରିପାରିବେ ନାହିଁ । ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷା ନେଇ ସରକାର ନୂଆ ମାର୍ଗଦର୍ଶିକା ଜାରି କରିବେ ।

ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିବାହରେ ସର୍ବାଧିକ ୫୦ ଜଣ, ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ୍ ହୋଇପାରିବେ । ଧାର୍ମିକ, ସାମାଜିକ, ରାଜନୀତିକ ସମାବେଶ ଓ ସଭା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ବିଭିନ୍ନ ଧର୍ମାନୁଷ୍ଠାନରେ କେବଳ ପୂଜକ ରୀତିନୀତି କରିବେ । ଶ୍ରଦ୍ଧାଳୁ ସାମିଲ୍ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ । ପ୍ରତି ହାଟ ଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରାଯିବ । କରୋନା ଭାଇରସର ଦ୍ୱିତୀୟ ଲହରରେ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି।

ବାର୍, ହୋଟେଲ ଓ ରେଷ୍ଟୁରାଣ୍ଟ କ୍ଷମତାର ୫୦ ପ୍ରତିଶତ ବସିକରି ଖାଇବାକୁ ଅନୁମତି ଦିଆଯିବ । ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଯାଉଥିବା ବସ୍ ସେବାକୁ ଆସନ୍ତା ସୋମବାର ଠାରୁ ବନ୍ଦ କରାଯିବ । ରାଜ୍ୟ ଭିତରେ ବସ୍ ଚଳାଚଳ ଜାରି ରହିବ । ତେବେ କେହି ଛିଡ଼ା ହୋଇ ଯାଇପାରିବେ ନାହିଁ । ଅଟୋ, ଟ୍ୟାକ୍ସିରେ ସର୍ବାଧିକ ୨ ଜଣ ଡ୍ରାଇଭର ବାଦ୍ ଯାଇପାରିବେ । ସିନେମା ହଲ୍ କ୍ଷମତାର ୫୦ ପ୍ରତିଶତ ସିଟକୁ ନେଇ ଚାଲିବ । ଖୋଲାସ୍ଥାନରେ ଥିବା ମୀନା ବଜାର ଓ ପାର୍କରେ ସର୍ବାଧିକ ୨୦୦ ଜଣ, ଥିଏଟର ଓ ଯାତ୍ରାରେ ସର୍ବାଧିକ ୧ ହଜାର ଲୋକ ସାମିଲ୍ ହୋଇପାରିବେ ।

ସରକାରୀ ଅଫିସ୍ ସବୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଘରୋଇ ସଂସ୍ଥା, ବ୍ୟାଙ୍କ ଏବଂ ଅନ୍ୟ କାର୍ଯ୍ୟାଳୟ ଯଥାସମ୍ଭବ କମ୍ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଅଫିସରେ ସାନିଟାଇଜର ବ୍ୟବସ୍ଥା ସହ ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ବ୍ୟବଧାନରେ କର୍ମକ୍ଷେତ୍ରକୁ ସାନିଟାଇଜ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଛି । ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ନେବା ଲାଗି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । କରୋନା ଲକ୍ଷଣ ଦେଖାଗଲେ ଟେଷ୍ଟ କରାଇ ନେବା ଲାଗି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସମସ୍ତେ ମାସ୍କ ପିନ୍ଧି ଚଳିଲେ ଆମେ ଲକଡାଉନ୍ ଏବଂ ସଟଡାଉନ୍ ଭଳି ପରିସ୍ଥିତିକୁ ଏଡ଼ାଇ ପାରିବା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ ବେଳେ ଏ କଥା କହିଥିଲେ ।

odisha imposes night curfew in all city